
ମୁମ୍ବାଇ: ଜାତିସଂଘରେ ଚାଇନା ବାରମ୍ବାର ପାକିସ୍ତାନ ଭିତ୍ତିକ ଆତଙ୍କବାଦୀଙ୍କୁ କଳାତାଲିକା ଭୁକ୍ତ କରାଯିବା ପ୍ରକ୍ରିୟାରେ କଣ୍ଟା ସାଜୁଛି। ଏଥିପାଇଁ ଆମେରିକା ପକ୍ଷରୁ ଚାଇନାକୁ କଡ଼ା ଚେତାବନୀ ଦିଆଯାଇଛି। ମୁମ୍ବାଇରେ ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦର କାଉଣ୍ଟର ଟେରୋରିଜମ କମିଟିର ସ୍ୱତନ୍ତ୍ର ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନ ଚାଇନାକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆତଙ୍କବାଦ ପ୍ରସଙ୍ଗରେ ଆସୁଥିବା ସଂକଳ୍ପକୁ ସବୁ ପକ୍ଷ ସମର୍ଥନ କରିବା ଦରକାର ଓ କୌଣସି ଦେଶ ଏହା ବିରୋଧରେ ଛିଡ଼ା ହେବା କଥା ନୁହେଁ। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଧୀନରେ ଆତଙ୍କବାଦୀଙ୍କୁ କଳାତାଲିକା ଭୁକ୍ତ କରାଯାଏ। ଏଥିପାଇଁ ଆସୁଥିବା ସଂକଳ୍ପକୁ ସବୁ ଦେଶ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି। ୧୯୯୯ ମସିହାରେ ଜାତିସଂଘ ସୁରକ୍ଷା ପରିଷଦ ଅଧୀନରେ କମିଟି ପକ୍ଷରୁ ୧୨୬୭ ଲିଷ୍ଟକୁ କାର୍ଯ୍ୟକାରୀ କରାଯାଇଛି। ଏହା ବଳରେ ଜାତିସଂଘ ସଦସ୍ୟ ରାଷ୍ଟ୍ରକୁ କମିଟି ଯେକୌଣସି ଆତଙ୍କବାଦୀ କିମ୍ବା ସଂଗଠନକୁ କଳାତାଲିକା ଭୁକ୍ତ କରିବାକୁ ଅନୁମିତି ଦେଇଥାଏ। ନିକଟରେ ଜାତିସଂଘରେ ଆମେରିକା ଓ ଭାରତ ଭଳି ଅନେକ ଦେଶ ଲସ୍କର-ଇ-ତାଏବା ମୁଖ୍ୟ ହାଫିଜ ସୟିଦର ପୁଅ ତାଲା ସୟିଦକୁ କଳାତାଲିକା ଭୁକ୍ତ କରିବାକୁ ପ୍ରସ୍ତାବ ଆଣିଥିଲେ। ହେଲେ ଚାଇନା ନିଜର ଭିଟୋ ପାୱାର ବଳରେ ଏହାକୁ ଅଟକାଇ ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ଲିନକେନ ଏପରି ବୟାନ ଦେଇଥିବା କୁହାଯାଉଛି। ନିଜର ମତ ରଖିବା ବେଳେ ବ୍ଲିନକେନ ମୁମ୍ବାଇ ଆକ୍ରମଣ କଥା ଉଠାଇଛନ୍ତି। ସେ କହିଛନ୍ତି, “୨୦୦୮ ନଭେମ୍ବର ମାସରେ ଏଠାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ଆମେରିକୀୟ ନାଗରିକ ବି ଥିଲେ। ସେଦିନ ଭାରତ ଓ ଯେଉଁ ସବୁ ଦେଶର ଲୋକମାନେ ପ୍ରାଣ ହରାଇଥିଲେ, ସେମାନଙ୍କ ସହ ଆମେ ଅଛୁ। କିନ୍ତୁ ଆମକୁ ଶୋକପ୍ରକାଶ ଠାରୁ ଆହୁରି କିଛି କରିବାକୁ ପଡ଼ିବ। ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡମାନଙ୍କୁ ଉଚିତ ଶିକ୍ଷା ଦେଇ ପୀଡ଼ିତଙ୍କୁ ନ୍ୟାୟ ଦେବାର ଦାୟିତ୍ୱ ଆମର। ଖାସ ଏହି କାରଣ ପାଇଁ ଆମେରିକା ଦୀର୍ଘ ୧୪ ବର୍ଷ ହେଲା ଭାରତ ଓ ଅନ୍ୟ ସହଯୋଗୀଙ୍କ ସହ ମିଳିତ ଭାବେ କାମ କରୁଛି। ଯଦି ଆମେ ହମଲାକାରୀଙ୍କୁ ଦଣ୍ଡ ନ ଦେଇ ଛାଡ଼ି ଦେବା, ତା’ହେଲେ ଆମେ ସେମାନଙ୍କ ଅମାନବୀୟ କାମକୁ ସହ୍ୟ କରିଯାଉଛି ବୋଲି ଆତଙ୍କବାଦୀଙ୍କ ପାଖକୁ ବାର୍ତ୍ତା ଯିବ। ତେଣୁ ଆମ ସମସ୍ତଙ୍କୁ ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ।