ଫିଲିପାଇନ୍ସରେ ତାଣ୍ଡବ ରଚୁଛି ବାତ୍ୟା ନାଲଗି । ଦକ୍ଷିଣ-ପୂର୍ବ ଏସିଆର ଏକ ଦେଶ ଫିଲିପାଇନ୍ସରେ ନାଲଗି ନାମକ ବାତ୍ୟା ଧ୍ବଂସଲୀଳା ରଚାଇଛି । ସ୍ଥାନୀୟ ଭାଷାରେ ଏହି ବାତ୍ୟାକୁ କୁହାଯାଉଛି ପାଏଙ୍ଗ୍ । ଏହି ସାମୁଦ୍ରିକ ବାତ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧିପାଇଛି । ଅନେକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି ।
ପୂର୍ବରୁ ବେସରକାରୀ ସୁତ୍ରରୁ କୁହାଯାଇଥିଲା ଯେ ଏହି ବାତ୍ୟାରେ ୭୨ ଜଣ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଫିଲିପାଇନ୍ସର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏନଡିଆରଆରଏମସି ପକ୍ଷରୁ ମୃତ୍ୟୁସଂଖ୍ୟାକୁ ୪୫କୁ କମାଇ ଦିଆଯାଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।
ଏହି ସାମୁଦ୍ରିକ ବାତ୍ୟା ଶନିବାର ସକାଳେ ଫିଲିପାଇନ୍ସର ପୂର୍ବ କାଟାନଡୁଆନେସ ରାଜ୍ୟରେ ଲାଣ୍ଡଫଲ କରିଥିଲା ଅର୍ଥାତ୍ ସ୍ଥଳ ଭାଗ ଛୁଇଁଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ଥିବାବେଳେ ୧୬୦ କିଲୋମିଟର ବେଗରେ ପବନର ଝଟକା ଲାଗୁଥିଲା । ଏହି ବାତ୍ୟା ପ୍ରଭାବରେ ଏବେ ରାଜଧାନୀ ମାନିଲା ଓ ଅନ୍ୟ ସ୍ଥାନଗୁଡ଼ିକରେ ବର୍ଷା ଜାରି ରହିଛି ।