ଓଡ଼ିଶାସ୍ୱତନ୍ତ୍ର

ସାଥୀ

ସାଥୀ ମୋର ନୀରବତା
ନୀରବରେ କହିଯାଏ ଅନେକ କଥା।
ଯେମିତି ଚାନ୍ଦ କହେ କୁମୁଦକୁ
ଅଂଶୁମାନ ଅରବିନ୍ଦକୁ
ନିଶିଥୀନି ତମସାକୁ
ସେମିତି ମୁଁ କହେ କଲମ ମୁନରେ
କାଗଜ ଛାତିରେ ମୋ ପ୍ରେୟସୀ ରୂପସୀ କବିତାକୁ।
କେଉଁଦିନ ,କିପରି ,କାହିଁକି
ତା ସହ ଗଢି ଉଠିଲା ମୋର
ନିବିଡ଼ ସମ୍ପର୍କ ?
ପଚାରିଲେ କହି ପାରିବିନି।
ତାହା ମୋର ଏକାନ୍ତ ନିଜସ୍ଵ।
ଏତିକି କହିବି ସେ ମୋର ସର୍ବସ୍ବ।
ତା ସ୍ପର୍ଶ ଅତି ରୋମାଞ୍ଚକର
ସାହାରା ମୋ ବାକି ଜୀବନର।
ସତରେ ବନ୍ଧୁ ………
ବହୁତ ଖୁସିରେ ଅଛି।
ଯେବେ ଠାରୁ କବିତା ମୋ
ହୃଦେ କଲା ଘର।
ରାଶି ରାଶି ସୁଖ
ମେଞ୍ଚା ମେଞ୍ଚା ଶାନ୍ତି
ମୁଠା ମୁଠା ପ୍ରୀତି
ଭରି ଦେଇଛି ମୋ ହାତ ଆଞ୍ଜୁଳାରେ।

ହାରି ଯିବାର ଭୟ ନାହିଁ
ଠକି ଯିବାର ଅନୁଶୋଚନା ନାହିଁ
କି ଛାଡ଼ି ଯିବାର ଦୁଃଖ ନାହିଁ।
ଛାଇ ପରି ଥିବ ମୋ ସଙ୍ଗରେ
ଆଶା ପ୍ରତ୍ୟାଶା ର ବହୁ ଉର୍ଦ୍ଧ୍ଵରେ
ଆମ ସଂପର୍କ।
ନାହିଁ ତର୍କ ବିତର୍କ
ଅଛି କେବଳ ଆକର୍ଷଣ ଅହେତୁକ।
ମୋ ଚାରିପଟେ ଲେଖା ଆଲେଖା
କାଗଜର ଗଦା।
ଲେଖନୀ ମୁନରେ ଶବ୍ଦ ସାଉଁଟି
ସଜେଇ ଦିଏ ମୁଁ ପ୍ରୀତିପ୍ରଦା ।
ବାସ୍ତବତାର ନାଗ ଫାଶରୁ ମୁକୁଳିଯାଏ ।
ବିଭାବରୀ ମୋ ପାଇଁ ପ୍ରେମ ଆଶାବରୀ ପାଲଟି ଯାଏ।
ଦିନର ଆଲୋକ ଠାରୁ ରାତ୍ରିର ଅନ୍ଧକାର
ମୋତେ ବେଶି ଆନନ୍ଦ ଦିଏ।
କେତେ ସ୍ବପ୍ନ ଦେଖେ
ଭାଷା ବିନ୍ୟାସର ରଙ୍ଗ ପୁଟିରେ
ସ୍ବପ୍ନ ସବୁ ହୋଇ ଉଠନ୍ତି ଜୀବନ୍ତ ସୁମଞ୍ଜୁଳ।
ତା ରୂପ ଲାବଣ୍ୟରେ ବିମୁଗ୍ଧ ମୁଁ
ଆନନ୍ଦିତ ହୃଦ ଅନ୍ତସ୍ଥଳ।

ସତେକି ମିଳି ଯାଇଛି ମୋତେ
ରଜତ ଚନ୍ଦ୍ରମା
ସାଗର ନିଳୀମା
ପ୍ରକୃତି ସୁଷମା
ସୁନେଲି ସବିତା
ଶୈଳଶ୍ରୀ ସ୍ଥିରତା
ନଭ ନୀରବତା
ମୋ ହାତ ପାହାନ୍ତାରେ।
ଲେଖିଦେଇଛି ନାଁ ତାର ମୋ ବୁକୁରେ
ସ୍ବର୍ଣ୍ଣାଭ ଅଲିଭା ଅକ୍ଷରେ।
ସାଥୀ ସିଏ ମୋର
ବର୍ତ୍ତମାନ ନିରୋଳା ମୁହୂର୍ତ୍ତର
ଆଗାମୀ ଅନିଶ୍ଚିତ ଭବିଷ୍ୟତର।
ମୋ ଏକାକୀ ପଣର
ଅତି ଆପଣାର
ନିହାତି ନିଜର।
ଓଠର ହସ ,ଆଖି ଲୁହର ସାକ୍ଷୀ
ପୋଶ ପୋଶ କୋହ ଗନ୍ତାଘର।
********
ଗୀତାଞ୍ଜଳି ଭୂୟାଁ, ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ, ସରସ୍ୱତୀ ବିଦ୍ୟାମନ୍ଦିର ସାଲେପୁର, କଟକ।

Show More

Related Articles

Back to top button