ମହାପ୍ରଳୟ ମହାବାତ୍ୟାକୁ ପୂରିଲା ୨୧ ବର୍ଷ
୧୯୯୯ ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ସେଦିନର ସେ କରାଳ ରୂପକୁ ଯିଏ ଅନୁଭବ କରିଛି ହୁଏତ ତା ମନରୁ ଆଜିବି ଲିଭିନଥିବ ସେ ବିଭୀଷିକା ଦୃଶ୍ୟ । ସେଦିନର ସେହି ହୃଦୟ ବିଦାରକ କାହାଣୀ । ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ଛାତିରେ ଯେମିତି ଏକ ଛନକା ପଶେ ।
୧୯୯୯ ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ସେଦିନର ସେ କରାଳ ରୂପକୁ ଯିଏ ଅନୁଭବ କରିଛି ହୁଏତ ତା ମନରୁ ଆଜିବି ଲିଭିନଥିବ ସେ ବିଭୀଷିକା ଦୃଶ୍ୟ । ସେଦିନର ସେହି ହୃଦୟ ବିଦାରକ କାହାଣୀ । ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ଛାତିରେ ଯେମିତି ଏକ ଛନକା ପଶେ । ଏଭିତରେ ୨୧ଟି ଶରତ ଅତିକ୍ରମ କରିଯାଇଥିଲେ ବି ମନରେ ତାଜା ହୋଇ ରହିଛି ସେଦିନର କାଳରାତି । ଚାଲିଯାଇଛି ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା । ହେଲେ ଶିଖାଇଦେଇଛି ଅନେକ କିଛି । ୨୧ ବର୍ଷ ପରେ ସବୁକିଛି ବଦଳିଯାଇଛି । ଯେତେ ବର୍ଷା ପବନ ହେଲେ ବି ଦମ୍ଭ ଦେଖାଇ ଠିଆ ହୋଇଛନ୍ତି ରାଜ୍ୟବାସୀ, ସଜାଗ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ମୁକାବିଲାରେ ଓଡ଼ିଶା ଏବେ ସାରା ବିଶ୍ୱରେ ରୋଲ୍ ମଡେଲ ।
ଦିନେ ଯେଉଁ ବାତ୍ୟାର ବିକଳ ଚିତ୍ର ଦେଖିଥିଲା ଓଡ଼ିଶା । ଏବେ ସେହି ରାଜ୍ୟ ବାତ୍ୟା ମୁକାବିଲାରେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ । ୧୯୯୯ ମହାବାତ୍ୟା ପରେ ବଦଳିଲା ସରକାର । ବାତ୍ୟା, ବନ୍ୟା ଦାଉରୁ ରାଜ୍ୟକୁ ରକ୍ଷା କରିବା ଥିଲା ନୂଆ ସରକାରର ମୂଳ ଲକ୍ଷ୍ୟ । ଏହାକୁ ଏକ ମିଶନ ଭାବେ ନେଇ ରାଜ୍ୟ ସରକାର ପ୍ରତିବର୍ଷ ନେଲେ ନୂଆ ନୂଆ ପଦକ୍ଷେପ । ୧୯୯୯ ମହାବାତ୍ୟା ପରେ ରାଜ୍ୟ ସରକାର ଗଠନ କରିଥିଲେ ଓସଡମା ଟିମ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କିପରି ମୁକାବିଲା କରାଯାଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଗଲା । ରାଜ୍ୟ ସରକାର ନିଜ ବଜେଟରେ ରଖିଲେ ଅଧିକ ପାଣ୍ଠି । ବାତ୍ୟାଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଗଲା ।
ବାତ୍ୟା ଆସିବା ପୂର୍ବରୁ ସୁରକ୍ଷିତ ଭାବେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଗଲା । ସେଠାରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ, ଜେନେରେଟରର ବ୍ୟବସ୍ଥା କରାଗଲା । ପ୍ରସୂତି ଓ ଶିଶୁଙ୍କ ପାଇଁ ଡାକ୍ତର ମଧ୍ୟ ରଖାଗଲା । ସାରା ରାଜ୍ୟରେ ଏବେ ୭୨୦ଟି ସେଲଟର ହୋମ ନିର୍ମାଣ କରାଯାଇଛି । ୧୯୯୯ ବାତ୍ୟା ପରେ ରାଜ୍ୟ ସରକାର ଓଡ଼୍ରାଫ୍ ଟିମ୍ ଗଠନ ହେଲା । ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଯୁବକଙ୍କୁ ତାଲିମ ଦିଆଯାଇ ଓଡ୍ରାଫ୍ ଟିମରେ ରଖାଗଲା । ଗୋଟିଏ ୟୁନିଟରେ ୫୦ ଜଣଙ୍କୁ ନେଇ ୨୦ ୟୁନିଟ ଗଠନ କରାଯାଇଛି । ସେହିଭଳି ଅଗ୍ନିଶମ ବିଭାଗକୁ ଅଧିକ କ୍ରୀୟାଶୀଳ କରାଯିବା ସହ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଗଲା । ରାଜ୍ୟ ବାହାରକୁ ଯାଇ ବନ୍ୟା ବାତ୍ୟାର ସଫଳ ମୁକାବିଲା କରି ବେଶ ପ୍ରଶଂସା ସାଉଁଟିଛି ଟିମ୍ ।