Breaking PLUSଦେଶମୁଖ୍ୟ ଖବର

ହାଇଦ୍ରାବାଦରେ ଆରମ୍ଭ ହେଲା ଅଖିଳ ଭାରତୀୟ ପୁଲିସ୍‌ ବ୍ୟାଣ୍ଡ ପ୍ରତିଯୋଗିତା

ହାଇଦ୍ରାବାଦ: ହାଇଦ୍ରାବାଦରେ ସୋମବାରଠାରୁ ଆରମ୍ଭ ହୋଇଛି ୨୭ତମ ଅଖିଳ ଭାରତୀୟ ପୁଲିସ୍‌ ବ୍ୟାଣ୍ଡ ପ୍ରତିଯୋଗିତା। ଏଥିରେ ବିଭିନ୍ନ ରାଜ୍ୟ ପୁଲିସ୍‌, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‌ ବାହିନୀର ୨୫ରୁ ଅଧିକ ବ୍ୟାଣ୍ଡ ଦଳ ଭାଗ ନେଉଛନ୍ତି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୧୫୦୦ କର୍ମଚାରୀ ସାମିଲ ହେବେ।
ରଙ୍ଗାରେଡ୍ଡୀସ୍ଥିତ ସିଆରପିଏଫ୍‌ ଗ୍ରୁପ୍‌ ସେଣ୍ଟରରେ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଅଖିଳ ଭାରତୀୟ ପୁଲିସ୍‌ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ତତ୍ତ୍ୱାବଧାନରେ ସିଆରପିଏଫ୍‌ ଏହାର ଆୟୋଜନ କରୁଛି। ବ୍ରାସ୍‌ ବ୍ୟାଣ୍ଡ, ପାଇପ୍‌ ବ୍ୟାଣ୍ଡ ଓ ବ୍ୟୁଗଲ୍‌ ବାଦନରେ ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବେ।
ଉଦ୍‌ଘାଟନୀ ସମାରୋହରେ ତେଲେଙ୍ଗାନା ପୁଲିସ୍‌ ଡିଜି ସି.ଭି. ଆନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୁଲିସ୍‌ ବ୍ୟାଣ୍ଡ କେବଳ ସଙ୍ଗୀତ ପରିବେଷଣରେ ସୀମିତ ନୁହେଁ, ଏହା ଶୃଙ୍ଖଳା, ସଂଗଠନର ପରିଚୟ ଓ ଗର୍ବର ପ୍ରତୀକ ବୋଲି ସେ କହିଥିଲେ। ଜାତୀୟ ଉତ୍ସବ, ପରେଡ୍‌ ଓ ଗାର୍ଡ ଅଫ୍‌ ଅନର୍‌ ଭଳି କାର୍ଯ୍ୟକ୍ରମରେ ବ୍ୟାଣ୍ଡର ଗୁରୁତ୍ୱ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
୧୯୯୯ରେ ପ୍ରଥମ ଅଖିଳ ଭାରତୀୟ ପୁଲିସ୍‌ ବ୍ୟାଣ୍ଡ ପ୍ରତିଯୋଗିତା ଆୟୋଜନ କରିଥିବା ସିଆରପିଏଫ୍‌ ପାଇଁ ଏହି ଆୟୋଜନ ବିଶେଷ ମହତ୍ତ୍ୱ ରଖୁଛି। ଏଥର ମିଳିତ ପରେଡ୍‌ରେ ବିଭିନ୍ନ ବାହିନୀର ବ୍ୟାଣ୍ଡ କର୍ମଚାରୀ ଏକାଠି ସଙ୍ଗୀତ ପରିବେଷଣ କରିବେ।

Show More

Related Articles

Back to top button