ପୁଣି ଆଦାନୀ ଗ୍ରୁପ ବିରୋଧରେ ସଂଘାତିକ ଅଭିଯୋଗ, ସେୟାର ବଜାରରେ ହେରଫେର୍ !

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଆଣିଥିବା ଅଭିଯୋଗ ମନରୁ ଲିଭିନଥିବା ବେଳେ ଆଉ ଏକ ସଂସ୍ଥା ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ବିବାଦୀୟ ନିବେଶକ ଜର୍ଜ ସୋରୋସଙ୍କ ସମର୍ଥିତ ସଂସ୍ଥା ‘ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ୍ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟ (ଓସିସିଆର୍ପି) ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଦାନି ଗ୍ରୁପ୍ ସେୟାର ବଜାରରେ ହେରଫେର କରିଛି। ଆଦାନି ଗ୍ରୁପ୍ର ନିବେଶକମାନେ ଲୁଚାଛପାରେ ନିଜ ସେୟାରକୁ କିଣି ବଜାରରେ ଲକ୍ଷ ଲକ୍ଷ ଡଲାର ନିବେଶ କରିଛନ୍ତି।
ରିପୋର୍ଟରେ ଦାବି କରାଯାଇଛି ଯେ ଆଦାନି ଗ୍ରୁପ୍ର କଂପାନିଗୁଡ଼ିକ ମରିସସ୍ର ଅଜଣା ନିବେଶ ପାଣ୍ଠି ଜରିଆରେ ଗ୍ରୁପ୍ର ସେୟାରରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି। ଓସିସିଆର୍ପି ପକ୍ଷରୁ କୁହାଯାଇଛି ଯେ ଟିକସ ଠକେଇର ସ୍ବର୍ଗ କୁହାଯାଉଥିବା ସ୍ଥାନଗୁଡ଼ିକର ମିଳିଥିବା ଫାଇଲ୍ ଓ ଆଦାନି ଗ୍ରୁପ୍ର ଭିତିରିଆ ଇ-ମେଲ୍କୁ ଅନୁଶୀଳନ କରି ଏହି ରିପୋର୍ଟ ତିଆରି କରାଯାଇଛି।
ସେଥିରୁ ଦୁଇଟି ମାମଲାରେ ରହସ୍ୟମୟ ନିବେଶକ ବିଦେଶରୁ ପାଣ୍ଠି ପଠାଇ ଆଦାନି ସେୟାର କିଣିଥିବା ଜଣାପଡ଼ିଛି। ଓସିସିଆର୍ପି ଏହା ମଧ୍ୟ ଅଭିଯୋଗ କରିଛି ଯେ ନିବୋକ ନାସିର ଅଲ୍ଲୀ ସବାନ ଅହ୍ଲି ଓ ଚେଙ୍ଗ ଚୁଙ୍ଗ୍-ଲିଙ୍ଗ୍ଙ୍କ ସହିତ ଆଦାନିଙ୍କ ପରିବାରର ଦୀର୍ଘଦିନ ଧରି ସମ୍ପର୍କ ରହିଛି। ସେମାନେ ଗୌତମ ଆଦାନିଙ୍କ ବଡ଼ ଭାଇ ବିନୋଦ ଆଦାନିଙ୍କ ଗ୍ରୁପ୍ ଅଧୀନରେ ଥିବା କଂପାନିଗୁଡ଼ିକର ନିର୍ଦ୍ଦେଶକ ଓ ଅଂଶଧନକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।