କଟକ କଂଗ୍ରେସରେ ହଲଚଲ, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ

କଟକ: କଟକ ରାଜନୀତିରେ ପୁଣି ଚର୍ଚ୍ଚାରେ ମୋକିମ-ସୋଫିଆ। କଂଗ୍ରେସରୁ ଦୂରେଇ ନୂଆ ରାଜନୈତିକ ମଞ୍ଚରେ ପାଦ ରଖିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ତାଙ୍କ ଝିଅ ତଥା ବାରବାଟୀ-କଟକର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଗାମୀ ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ମୋକିମ ସ୍ପଷ୍ଟ କରିଛନ୍ତି।
ରବିବାର ଗଣମାଧ୍ୟମକୁ ମୋକିମ କହିଛନ୍ତି ଯେ, ଆଗାମୀ ଦିନରେ ଓଜେସି ଯୁବପିଢ଼ି, ବିଶେଷକରି ଜେନ୍-ଜେଡ୍ଙ୍କୁ ନେଇ ନିଜର ରାଜନୈତିକ ଭିତ୍ତି ମଜଭୁତ କରିବ। ଏହି ଅଭିଯାନର ନେତୃତ୍ୱ ସୋଫିଆ ନେବେ ବୋଲି ସେ କହିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ଯୁବପିଢ଼ିଙ୍କୁ ଦଳ ସହଯୋଗ କରିବ ବୋଲି ମୋକିମ ଦାବି କରିଛନ୍ତି।
କଂଗ୍ରେସ ଉପରେ ମଧ୍ୟ ମୋକିମ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ନିଜର ନୀତି ଓ ଆଦର୍ଶଠାରୁ ଦୂରେଇ ଯାଇଥିବା ଅଭିଯୋଗ କରି ସେ କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱରେ ସମନ୍ୱୟର ଅଭାବ ରହିଛି। ଏହାର ପ୍ରଭାବ ତୃଣମୂଳସ୍ତରର କର୍ମୀଙ୍କ ଉପରେ ପଡ଼ିଛି ବୋଲି ସେ ମତ ଦେଇଛନ୍ତି।
କଟକ ପୌର ନିର୍ବାଚନ ସହ ୨୦୨୯ ବିଧାନସଭା ନିର୍ବାଚନରେ ଓଜେସି ଭଲ ପ୍ରଦର୍ଶନ କରିବ ବୋଲି ମୋକିମ ଆଶାବାଦୀ ଅଛନ୍ତି। ଏହି ଘୋଷଣା ପରେ ବାରବାଟୀ-କଟକ ଆସନରେ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ନେଇ ମନ୍ତବ୍ୟ ଦେବା ପରେ ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେବା ଅଭିଯୋଗରେ ସୋଫିଆ ଫିର୍ଦ୍ଦୋସଙ୍କୁ କଂଗ୍ରେସ ନିଲମ୍ବିତ କରିଥିଲା।
ସୋଫିଆଙ୍କ ନିଲମ୍ବନ ପରେ କଟକ କଂଗ୍ରେସରେ ମତଭେଦ ତୀବ୍ର ହୋଇଥିବା ଚର୍ଚ୍ଚା ହେଉଛି। କିଛି ସିଏମ୍ସି କର୍ପୋରେଟର ମଧ୍ୟ ମୋକିମ-ସୋଫିଆଙ୍କ ସହ ରହିଥିବା ଦାବି କରାଯାଉଛି। ଅନ୍ୟପଟେ ବିଭିନ୍ନ କାର୍ଯ୍ୟକ୍ରମରେ ସୋଫିଆଙ୍କୁ ଓଜେସି କର୍ମୀଙ୍କ ସହ ଦେଖିବାକୁ ମିଳୁଥିବାରୁ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର ଧରିଛି।
ତେବେ ମୋକିମଙ୍କ ଏହି ଘୋଷଣା ଉପରେ ସୋଫିଆଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ସୋଫିଆ ଦଳରୁ ନିଲମ୍ବିତ ଅଛନ୍ତି ଏବଂ ଏହା ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ହୋଇଛି। ସେ ଆଗକୁ କେଉଁ ଦଳକୁ ଯିବେ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କାଡ଼ାମ କହିଛନ୍ତି। ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ଟି ଆସନରେ ଦୃଢ଼ ପ୍ରାର୍ଥୀ ଦେବ ଏବଂ ଦଳ ପ୍ରତି ଲୋକଙ୍କ ସମର୍ଥନ ରହିଛି ବୋଲି ସେ ଦାବି କରିଛନ୍ତି।
କୁ ମଧ୍ୟ ନିର୍ଦ୍ଦେଶ ରହିଛି।



