Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଡ୍ରାଇଭର-କଣ୍ଡକ୍ଟର ଗିରଫ

ନୂଆଦିଲ୍ଲୀ: ନୋଏଡାରେ ଛାଡ଼ିଦେବାର ପ୍ରତିଶ୍ରୁତି ଦେଇ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଚଳନ୍ତା ସ୍ଲିପର୍‌ ବସ୍‌ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୪ ତାରିଖ ରାତିରେ ଘଟିଥିବା ଏହି ଘଟଣା ନେଇ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ବସ୍‌ର ଡ୍ରାଇଭର କୁଲଦୀପ ଓ କଣ୍ଡକ୍ଟର ସନ୍ଦୀପଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ବସ୍‌ଟିକୁ ମଧ୍ୟ ଜବତ କରି ଫୋରେନସିକ୍‌ ଯାଞ୍ଚ ପାଇଁ ପଠାଯାଇଛି।

ପୁଲିସ ତଥ୍ୟ ଅନୁଯାୟୀ, ନାବାଳିକା ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଛନ୍ତି। ପରିବାରକୁ ନଜଣାଇ ନୋଏଡାରେ ରହୁଥିବା ସମ୍ପର୍କୀୟ ଭଉଣୀଙ୍କୁ ଭେଟିବା ପାଇଁ ସେ ଘରୁ ବାହାରିଥିଲେ। ତେବେ ପ୍ରବଳ ବର୍ଷା ଓ ରାତିର ଅନ୍ଧାର ମଧ୍ୟରେ ରାସ୍ତା ଭୁଲି ସେ ଗ୍ରେଟର ନୋଏଡାର ପରୀ ଚୌକ ଅଞ୍ଚଳରେ ପହଞ୍ଚିଥିଲେ।

ସେହି ସମୟରେ ଏକ ଖାଲି ସ୍ଲିପର୍‌ ବସ୍‌ ଯାଉଥିବା ଦେଖି ସେ ହାତ ଦେଇ ଗାଡ଼ିଟିକୁ ଅଟକାଇଥିଲେ। ଡ୍ରାଇଭର କୁଲଦୀପ ଓ କଣ୍ଡକ୍ଟର ସନ୍ଦୀପ ନୋଏଡା ସେକ୍ଟର-୬୩ ଦିଗକୁ ଯାଉଥିବା କହି ତାଙ୍କୁ ସେଠାରେ ଛାଡ଼ିଦେବାକୁ କହିଥିଲେ। ଏହାପରେ ନାବାଳିକା ବସ୍‌ରେ ଚଢ଼ିଥିଲେ।

ପୁଲିସକୁ ଦିଆଯାଇଥିବା ବୟାନରେ ନାବାଳିକା ଅଭିଯୋଗ କରିଛନ୍ତି ଯେ, ବସ୍‌ କିଛି ଦୂର ଯିବା ପରେ କଣ୍ଡକ୍ଟର ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିଲେ। ପରେ ଡ୍ରାଇଭର ଓ କଣ୍ଡକ୍ଟର ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ପରେ ଦୁଇ ଅଭିଯୁକ୍ତ ତାଙ୍କୁ ପୁରୁଣା ଦିଲ୍ଲୀର କଶ୍ମୀରୀ ଗେଟ୍‌ ଆଇଏସ୍‌ବିଟି ନିକଟ ରିଙ୍ଗ୍‌ ରୋଡ୍‌ରେ ଓହ୍ଲାଇ ଦେଇଥିଲେ। ସେଠାରୁ ନାବାଳିକା କଶ୍ମୀରୀ ଗେଟ୍‌ ଥାନାରେ ପହଞ୍ଚି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।

ଅଭିଯୋଗ ପରେ ପୁଲିସ ବସ୍‌ର ଗତିବିଧି ଓ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ କରିଥିଲା। ଶେଷରେ ଉତ୍ତର ଦିଲ୍ଲୀର ତିମାରପୁର ଅଞ୍ଚଳର ଏକ ବସ୍‌ ପାର୍କିଂରୁ କୁଲଦୀପ ଓ ସନ୍ଦୀପଙ୍କୁ ଧରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ବସ୍‌ରେ ଯାନ୍ତ୍ରିକ ସମସ୍ୟା ଦେଖାଦେବା ପରେ ଏହାକୁ ଗ୍ରେଟର ନୋଏଡାର ସୂରଜପୁର ଅଞ୍ଚଳର ଏକ ୱାର୍କସପ୍‌କୁ ମରାମତି ପାଇଁ ନିଆଯାଇଥିଲା। ମରାମତି ପରେ ଦୁଇ ଅଭିଯୁକ୍ତ ଖାଲି ବସ୍‌ ନେଇ ତିମାରପୁର ଫେରୁଥିବା ବେଳେ ପରୀ ଚୌକରେ ନାବାଳିକାଙ୍କୁ ଦେଖିଥିଲେ।

ପୁଲିସ କହିଛି ଯେ, ବସ୍‌ର ଭିତରେ ପରଦା ଲାଗିଥିବାରୁ ବାହାରୁ ଗାଡ଼ି ଭିତରର ଘଟଣା ସମ୍ପର୍କରେ ଜାଣିବା ସହଜ ନଥିଲା। ଘଟଣାର ଅନ୍ୟାନ୍ୟ ପ୍ରମାଣ ଓ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଛି। ଜବତ ବସ୍‌ର ଫୋରେନସିକ୍‌ ପରୀକ୍ଷା କରାଯାଉଥିବା ପୁଲିସ ସୂଚନା ଦେଇଛି।

Show More

Related Articles

Back to top button