ସ୍ୱିଗି ଜୋମାଟୋ ପରିବର୍ତ୍ତେ ମାଙ୍କ ହାତ ତିଆରି ଖାଇବା ଦେବକୁ କୋର୍ଟଙ୍କ ଆଦେଶ

କେରଳ ହାଇକୋର୍ଟ ଗତ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ମା’ଙ୍କ ହାତ ତିଆରି ଖାଦ୍ୟକୁ ପ୍ରଶଂସା କରିଛନ୍ତି। ଏହା ସହିତ ସେ କହିଛନ୍ତି ଯଦି ପିତାମାତା ସେମାନଙ୍କ ପିଲାମାନଙ୍କୁ ଖରାପ ଅଭ୍ୟାସରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସ୍ୱିଗି ଓ ଜୋମାଟୋରୁ ଖାଦ୍ୟ ମଗାଇ ଖାଇବାକୁ ଦେବା ପରିବର୍ତ୍ତେ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ । କେବଳ ଏତିକି ନୁହେଁ କୋର୍ଟ କହିଛନ୍ତି ବୟସରେ ପିଲାଙ୍କୁ ଖୋଲା ପଡିଆରେ ଖେଳିବାକୁ ଦିଅନ୍ତୁ । ଏହାଦ୍ୱାରା ପିଲା ଆଉ ଦିନରାତି ମୋବାଇଲ୍ରେ ବ୍ୟସ୍ତ ରହିବେ ନାହିଁ ।
ପର୍ନୋଗ୍ରାଫି ସମ୍ବନ୍ଧିତ ଏକ ଅପରାଧିକ ମାମଲାର ଶୁଣାଣୀ କରିବା ସମୟରେ କୋର୍ଟର ବିଚାରପତି ପିଭି କୁହ୍ନକୃଷ୍ଣନ ମାତାପିତାଙ୍କୁ ଉପରୋକ୍ତ ପରାମର୍ଶ ଦେବା ସହିତ ମାମଲାଣ ଶୁଣାଣୀ କରି ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ହୋଇଥିବା ଅପରାଧିକ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ଯାହାଙ୍କୁ ପୋଲିସ ରାସ୍ତା କଡରେ ଛିଡା ହୋଇ ପର୍ନ ଦେଖିବା ଅଭିଯୋଗରେ ଗିରଫ କରିଥିଲା । କୋର୍ଟ କହିଛନ୍ତି ଅନ୍ୟ ସହ ସେୟାର ନ କରି କିମ୍ବା ଅନ୍ୟକୁ ପ୍ରଦର୍ଶିତ ନ କରି ପର୍ନ ଚିତ୍ର ଦେଖିବା ଭାରତୀୟ ଦଣ୍ଡ ସଂହିତା ୨୯୨ ଆଧାରରେ ଅପରାଧ ବୋଲି ଗ୍ରହଣ କରାଯିବ ନାହିଁ । ଅନ୍ୟପକ୍ଷରେ ବିଚାରପତି ସମସ୍ତ ମାତାପିତାଙ୍କୁ କିନ୍ତୁ ସେମାନଙ୍କ ସନ୍ତାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଛୋଟ ପିଲାମାନଙ୍କୁ ମୋବାଇଲରୁ ଦୂରେଇ ରଖିବାକୁ ପିତାମାତା ଯତ୍ନବାନ ହେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।