ହୀରାକୁଦରେ ପୁଣି ଖୋଲିଲା 6ଟି ଗେଟ୍

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ର ୧୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିବା ବେଳେ ଆଜି ଆହୁରି ୬ଟି ଗେଟ୍କୁ ଖୋଲି ଦିଆଯାଇଛି। ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ। ବାମ ପଟରୁ ୧୩ଟି ଗେଟ୍ ଖୋଲି ଦିଆଯାଇଥିବା ବେଳେ ଦକ୍ଷିଣ ପଟର ୭ଟି ଗେଟ୍ ଖୋଲାଯାଇଛି। ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ଗତ ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା। ଖବର ଅନୁଯାଇ, ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ହେତୁ ଜଳପ୍ରବେଶ ହାର ବଢ଼ୁଥିବାରୁ ଗତକାଲି ଅଧିକ ଗେଟ୍ ଖୋଲା ଯାଇଥିଲା। ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ଆଜି ଆହୁରି ୬ଟା ଗେଟ୍ ଖୋଲିବା ଆବଶ୍ୟକ ପଡ଼ିଛି।


