କୋର୍ଟରେ ହାଜର ହେବେ ବିଧାୟକ ପ୍ରତାପ ଜେନା
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ ସମନ୍ ଜାରି ପାଇଁ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀ ରଣଜିତ୍ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥିପାଇଁ ଆବ୍ୟଶକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ବରାଳଙ୍କ ତରଫରୁ ଏ ବାବଦ ଅର୍ଥ ଜମା କରାଯିବା ସହିତ ସମନ ଜାରି ପାଇଁ ଆବଶ୍ୟକ ପତ୍ର ଦାଖଲ କରାଯାଇଥିଲା। ଏହାପରେ ଅଦାଲତ ସ୍ୱତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ବିଧାୟକ ପ୍ରତାପ ଜେନା ଅକ୍ଟୋବର ୩୧ରେ ହାଜର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ସୂଚନା ଅନୁସାରେ ବିଧାୟକଙ୍କ ବିରୋଧରେ IPC ଧାରା ୩୦୨ (ହତ୍ୟା), ୧୨୦ ବି ( ଅପରାଧିକ ଷଡଯନ୍ତ୍ର, ୫୦୬ (ହତ୍ୟା ଧମକ) ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩ ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ ଅନ୍ୟାନ୍ୟ ପ୍ରମାଣ ପତ୍ର ରେକର୍ଡରୁ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର (IPC) ଦଫା ୩୦୨, ୧୨୦ ବି, ୫୦୬ ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ ସୂଚାଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଆଗେଇବା ପାଇଁ ପ୍ରମାଣଯୋଗ୍ୟ ଉପାଦାନ ରହିଥିବାରୁ ବିଧାୟକଙ୍କୁ ସମନ ଜାରି ପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ୨୦୨୧ ଜାନୁଆରୀ ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ତଦନ୍ତ କରି ପୋଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରୁ ତତ୍କାଳିନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇନଥିଲା।ଏହି ଏତଲାରେ ପ୍ରତାପ ଜେନାଙ୍କ ନାଁ ଥିବା ବେଳେ ଚାର୍ଜସିଟ ରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ପୋଲିସର ଚାର୍ଜସିଟ୍ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପରୁ JMFC ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ୱରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।