ଜଳ ଜୀବନ ମିସନ୍ ଆର୍ଥିକ ଦୁର୍ନୀତିରେ 25ଟି ସ୍ଥାନରେ ଇଡିର ଚଢାଉ

ରାଜସ୍ଥାନ ‘ଜଳ ଜୀବନ ମିସନ୍’ରେ ହୋଇଥିବା ଆର୍ଥିକ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଜି ଜଣେ ବରିଷ୍ଠ ‘ଆଇଏଏସ୍’ ଅଫିସର୍ଙ୍କ ବାସଭବନ ସମେତ ୨୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ଜୟପୁରର ୨୫ଟି ସ୍ଥାନରେ ଚାଲିଥିବା ଏହି ଚଢ଼ାଉରେ ‘ପବ୍ଲିକ୍ ହେଲ୍ଥ୍ ଇଞ୍ଜିନିୟରିଙ୍ଗ୍’ (ପିଏଚ୍ଇ) ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ‘ଆଇଏଏସ୍’ ଅଧିକାରୀ ସୁବୋଧ ଅଗରୱାଲ୍ଙ୍କ ବାସଭବନ ଅନ୍ତର୍ଭୁକ୍ତ ରହିଛି। ଏହାଛଡ଼ା, ଏହି ଦୁର୍ନୀତିରେ ଲିପ୍ତ ଥିବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବାସଭବନରେ ମଧ୍ୟ ‘ଇଡି’ ଚଢ଼ଉ ଜାରି ରଖିଛି। ସୂଚନା ଅନୁସାରେ ଗତ ସେପ୍ଟେମ୍ବର ମାସରେ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଏହି ଧରଣର ଚଢ଼ଉ କରିଥିଲା। ରାଜସ୍ଥାନ ‘ଆଣ୍ଟି-କରପ୍ସନ୍ ବ୍ୟୁରୋ’ (ଏସିବି) ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ଅଭିଯୋଗ ହୋଇଛି। ବିଭିନ୍ନ ‘ପିଏଚ୍ଇଡି’ ପ୍ରକଳ୍ପରେ ବେଆଇନ ସୁରକ୍ଷା, ଟେଣ୍ଡର୍, ବିଲ୍ ଅନୁମୋଦନ ଓ ଅନିୟମିତା ଲୁଚାଇବା ପାଇଁ ‘ଶ୍ରୀଶ୍ୟାମ ଟ୍ୟୁବ୍ୱେଲ୍ କମ୍ପାନି’ର ସତ୍ତ୍ବାଧିକାରୀ ପଦମଚାନ୍ଦ ଜୈନ, ‘ଶ୍ରୀଗଣପତି ଟ୍ୟୁବ୍ୱେଲ୍ କମ୍ପାନି’ର ସତ୍ତ୍ବାଧିକାରୀ ମହେଶ ମିତ୍ତଲ୍ ଓ ଅନ୍ୟମାନେ ସରକାରୀ କର୍ମଚାରୀମାନଙ୍କୁ ଲାଞ୍ଚ ଦେଇଥିଲେ। ‘ଜଳ ଜୀବନ ମିସନ୍’ ହେଉଛି ନଳ ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କର ଏକ ଯୋଜନା। ରାଜସ୍ଥାନ ‘ପିଏଚ୍ଇଡି’ ରାଜ୍ୟରେ ଏହି ଯୋଜନା ପ୍ରଚଳନ କରୁଛି।