ବର୍ଷରେ ଦୁଇଥର ନାମଲେଖା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନକୁ ଅନୁମତି
ପ୍ରଥମ ପର୍ଯ୍ୟାୟରେ ବଞ୍ଚିତ ଛାତ୍ରଛାତ୍ରୀ ହେବେ ଉପକୃତ
ଏଣିକି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବର୍ଷକୁ ଦୁଇଥର ନାମ ଲେଖାଇ ପାରିବେ। ବର୍ଷକୁ ଗୋଟିଏ ପରିବର୍ତ୍ତେ ୨ଟି ଶିକ୍ଷା ଅଧିବେଶନ ହେବ। ଏଥିପାଇଁ ଜୁଲାଇ-ଅଗଷ୍ଟ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ନାମଲେଖା କରାଯିବ। ଚଳିତ ୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାକୁ ଲାଗୁ କରିପାରିବେ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମୁଖ୍ୟ ଜଗଦେଶ କୁମାର।
ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ବର୍ଷକୁ ଦୁଇଥର ନାମଲେଖା ହେଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଯଦି କେହି ନାମଲେଖାରୁ ବଞ୍ଚିତ ହେଇଥିବେ, ତାଙ୍କୁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେହି ଶିକ୍ଷାବର୍ଷରେ ହିଁ ସେ ନାମ ଲେଖାଇ ପାରିବ। ରେଜଲ୍ଟ ପ୍ରକାଶ ହୋଇନଥିଲେ, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ବ୍ୟକ୍ତିଗତ କାରଣରୁ କୌଣସି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରିନଥିଲେ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବ। ସେହିପରି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ପାଇଁ ଆଗଭର ହୋଇପାରନ୍ତି ବୋଲି ଶ୍ରୀ କୁମାର ମତବ୍ୟକ୍ତ କରିଛନ୍ତି।ଏହାସହ ସେ ଆହୁରି କହିଛନ୍ତି, ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟଗୁଡ଼ିକ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରୁଛନ୍ତି। ଦେଶରେ ଏହା କାର୍ଯ୍ୟକାରୀ ହେଲେ ଅନ୍ତର୍ଜାତୀୟ ସହଯୋଗ ସହ ଛାତ୍ର ବିନିମୟକୁ ମଧ୍ୟ ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ବଢ଼ାଇ ପାରିବେ। ଫଳରେ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସାମିଲ ହୋଇ ସମସ୍କନ୍ଧ ହୋଇପାରିବା ବୋଲି ସେ କହିଛନ୍ତି। ତେବେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବର୍ଷକୁ ଦୁଇଥର ନାମଲେଖା ବାଧ୍ୟତାମୂଳକ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୟୁଜିସି ବର୍ଷକୁ ଦୁଇଥର ନାମଲେଖା ପାଇଁ ଅନୁମତି ଦେଇଛି। ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ସେମାନଙ୍କର ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବା କୌଣସି ନୂଆ ପାଠ୍ୟକ୍ରମ ସାମିଲ କରିବା ପାଇଁ ଚାହୁଁଥିବେ ସେମାନେ ଏହାର ସୁଯୋଗ ନେଇପାରିବେ ବୋଲି ସେ ସୂଚନା ଦେଇଛନ୍ତି।