ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ

ଭୁବନେଶ୍ୱର- ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ । ଜଣେ ୧୫ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବିଦେଶିଆ ପ୍ରଧାନକୁ ଫାଷ୍ଟଟ୍ରାକ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଦର ଥାନା କସିରା ଗ୍ରାମର ବିଦେଶିଆ ପ୍ରଧାନ(୨୨) ଜଣେ ୧୫ବର୍ଷର ନାବାଳିକାକୁ ଅପହରଣ ପରେ ବିବାହ କରି ଦୁଷ୍କର୍ମ କରିଆସୁଥିବା ନେଇ ଚାଇଲ୍ଡଲାଇନ ଟିମ୍ ଲିଡର ସୁକାନ୍ତି ପାତ୍ର ଜାଣିବା ପରେ ୨୦୨୦ ମସିହା ମେ’ ୩୧ ତାରିଖରେ ସମ୍ପୃକ୍ତ ନାବାଳିକାକୁ ପ୍ରଥମେ ଉଦ୍ଧାର କରି ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଅଭିଯୁକ୍ତ ବିଦେଶିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟ ଟ୍ରାକ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଅଭିଯୁକ୍ତ ବିଦେଶିଆକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ କ୍ଷତିପୂରଣ ପ୍ରଦାନ ନିମନ୍ତେ ମଧ୍ୟ ଆଦେଶ ଦେଇଛନ୍ତି।



