ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ ଷ୍ଟାଣ୍ଡ ରେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ । ଜଣେ ଯୌନ ପିପାଷୁ ବସ୍ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ ଝିଅଙ୍କୁ ବଳାତ୍କାର ଉଦ୍ୟମ କରିଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର । ବସ ପାଇଁ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା ଝିଅ । ଅଭିଯୋଗ କାରିଣୀ ଗଞ୍ଜାମ ଜିଲ୍ଲାର । ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଝିଅକୁ ଧରି ବସ୍କୁ ଅପେକ୍ଷା କରିଥିବା ବେଳେ ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କରିଥିଲା ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ବଳାତ୍କାର ଉଦ୍ୟମ କରିଥିଲା । ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା । ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ । ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଭରତପୁର ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ସଙ୍ଗେ ସଙ୍ଗେ ବସ୍ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବସ୍ ଟର୍ମିନାଲ ନିକଟରୁ ପୁଲିସ ପବିତ୍ରଙ୍କୁ ଉଠାଇ ନେଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଛି ।


