୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା, ୧୫ ସୁଦ୍ଧା ବଣ୍ଟନ

ଭୁବନେଶ୍ୱର: ରାଜ୍ୟର ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିବ ସାମାଜିକ ସୁରକ୍ଷା ଭତ୍ତା। ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସଂକ୍ରାନ୍ତୀୟ ଫାଇଲକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିବା ଜଣାପଡ଼ିଛି। ଚଳିତ ମାସ ୧୫ ତାରିଖ ସୁଦ୍ଧା ଭତ୍ତା ବଣ୍ଟନ କରାଯିବ ବୋଲି ସମ୍ପୃକ୍ତ କ୍ୟାବିନେଟ୍ ମନ୍ତ୍ରୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ହିତାଧିକାରୀଙ୍କ ଡାଟାବେସ୍ ଓ ପୋର୍ଟାଲ ପ୍ରସ୍ତୁତି କାମ ତ୍ୱରାନ୍ୱିତ ହୋଇଛି। ଖୁବ୍ଶୀଘ୍ର ପୋର୍ଟାଲ କାର୍ଯ୍ୟକ୍ଷମ କରାଯିବ। ଏହାପରେ ଯାଞ୍ଚ ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବ।
ଉଲ୍ଲେଖଯୋଗ୍ୟ, ମୌସୁମୀ ବିଧାନସଭା ଅଧିବେଶନରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ରାଜ୍ୟରେ ୫ ଲକ୍ଷ ୧୪ ହଜାର ୨୬୭ ଜଣ ଭତ୍ତା ପାଇଁ ଅନ୍ଲାଇନ୍ରେ ଆବେଦନ କରିଛନ୍ତି। ଜିଲାସ୍ତରରେ ତଥ୍ୟ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳିବ। ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨ ହଜାର ଆବେଦନ ବାଦ୍ ପଡ଼ିପାରେ। ନୂଆ ହିତାଧିକାରୀଙ୍କ ଭତ୍ତା ବାବଦରେ ସରକାରଙ୍କ ଉପରେ ବାର୍ଷିକ ୭୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ବୋଝ ପଡ଼ିବା ଆକଳନ କରାଯାଇଛି।



