
ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଗ୍ରାହକମାନଙ୍କୁ ଏବେ ଅନେକ ସହଜ ବିକଳ୍ପ ଉପଲବ୍ଧ ହୋଇଛି। ଆଇଭିଆରଏସ୍, ମୋବାଇଲ ଆପ୍ ଓ ୱେବସାଇଟ୍ ମାଧ୍ୟମରେ ଘରେ ବସି ମାତ୍ର କିଛି ମିନିଟ୍ରେ ସିଲିଣ୍ଡର ବୁକିଂ କରାଯାଇପାରିବ।
ଆଇଭିଆରଏସ୍ (ଇଣ୍ଟରାକ୍ଟିଭ ଭଏସ୍ ରେସପନ୍ସ ସିଷ୍ଟମ୍) ମାଧ୍ୟମରେ ବୁକିଂ କରିବା ପାଇଁ ଗ୍ରାହକମାନେ ନିର୍ଦ୍ଦିଷ୍ଟ ନମ୍ବରକୁ କଲ୍ କରି ଫୋନ୍ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡେ। ଭାରତଗ୍ୟାସ୍ ପାଇଁ ୭୭୧୫୦୧୨୩୪୫, ଇଣ୍ଡେନ୍ ପାଇଁ ୭୭୧୮୯୫୫୫୫୫ ଏବଂ ଏଚ୍ପି ଗ୍ୟାସ୍ ପାଇଁ ୮୮୮୮୮୨୩୪୫୬ ନମ୍ବରରେ କଲ୍ କରି ସିଲିଣ୍ଡର ବୁକିଂ କରାଯାଇପାରିବ। ଏହି ସେବା ବ୍ୟବହାର ସମୟରେ ଗ୍ରାହକଙ୍କ ଏଲପିଜି ସଂଯୋଗ ସହ ପଞ୍ଜିକୃତ ମୋବାଇଲ ନମ୍ବର ବ୍ୟବହାର କରିବା ଆବଶ୍ୟକ।
ଗ୍ରାହକ ସୁବିଧାକୁ ଆହୁରି ବଢ଼ାଇବା ପାଇଁ ତେଲ କମ୍ପାନୀମାନେ ମୋବାଇଲ ଆପ୍ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗ୍ରାହକମାନେ ସିଲିଣ୍ଡର ବୁକିଂ କରିବା ସହ ବିତରଣ ସ୍ଥିତି ଟ୍ରାକ୍ କରିପାରିବେ ଏବଂ ନିଜର ଏଲପିଜି ଆକାଉଣ୍ଟ ପରିଚାଳନା କରିପାରିବେ। ଭାରତଗ୍ୟାସ୍ ଗ୍ରାହକଙ୍କ ପାଇଁ ନମସ୍କାର ବିପିସିଏଲ୍ ଆପ୍, ଇଣ୍ଡେନ୍ ଗ୍ରାହକଙ୍କ ପାଇଁ ଇଣ୍ଡିଆନଅଏଲ୍ ୱାନ୍ ଆପ୍ ଏବଂ ଏଚ୍ପି ଗ୍ୟାସ୍ ଗ୍ରାହକଙ୍କ ପାଇଁ ଏଚ୍ପି ପେ ଆପ୍ ଉପଲବ୍ଧ ରହିଛି।
ଏହା ସହିତ ଯେଉଁ ଗ୍ରାହକମାନେ ମୋବାଇଲ ଆପ୍ ବ୍ୟବହାର କରିବାକୁ ଚାହାନ୍ତି ନାହିଁ, ସେମାନେ ସମ୍ପୃକ୍ତ ଏଲପିଜି କମ୍ପାନୀର ସରକାରୀ ୱେବସାଇଟ୍ରେ ଲଗ୍ଇନ୍ କରି ମଧ୍ୟ ସିଲିଣ୍ଡର ବୁକିଂ କରିପାରିବେ। ଅନଲାଇନ୍ ପୋର୍ଟାଲ୍ରେ ଗ୍ୟାସ୍ ବୁକିଂ ସହ ଏଲପିଜି ଆକାଉଣ୍ଟ ସମ୍ପର୍କିତ ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ ରହିଛି।
ଏଲପିଜି ସେବାକୁ ଆହୁରି ସରଳ ଓ ସୁଲଭ କରିବା ପାଇଁ ଏହି ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପୂର୍ବରୁ ଗ୍ରାହକମାନେ ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ଏଜେନ୍ସିକୁ ଯିବାକୁ ପଡୁଥିଲା, କିନ୍ତୁ ଏବେ ହ୍ୱାଟସ୍ଆପ୍, ମିସ୍ଡ୍ କଲ୍, ଆଇଭିଆରଏସ୍, ମୋବାଇଲ ଆପ୍ ଓ ୱେବସାଇଟ୍ ଭଳି ବିଭିନ୍ନ ବିକଳ୍ପ ମାଧ୍ୟମରେ ଘରେ ବସି ସହଜରେ ସିଲିଣ୍ଡର ବୁକିଂ କରାଯାଇପାରିବ। ଏହା ଫଳରେ ଗ୍ରାହକଙ୍କ ସମୟ ସଞ୍ଚୟ ହେବା ସହ ସେବା ଆହୁରି ସୁବିଧାଜନକ ହେବ।



