ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ରବିବାର ସକାଳେ ଅସୁସ୍ଥ ଅନୁଭବ କରିବା ପରେ ପ୍ରଥମେ ତାଙ୍କୁ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଡାକ୍ତରମାନଙ୍କ ଅନୁସାରେ, ତାଙ୍କର ହାତ ଓ ପାଏଁ ଫୁଲିବା ସହିତ ରକ୍ତହୀନତା (ଆନିମିଆ) ସମସ୍ୟା ଦେଖାଦେଇଛି। ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ରଖି ଚିକିତ୍ସା କରାଯାଉଛି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ୮୨ ବର୍ଷୀୟା ପୂର୍ଣ୍ଣମାସୀ ଯାନୀ ଜଣେ ଆଦିବାସୀ ସନ୍ଥ ଓ ଆଶୁକବି ଭାବେ ପରିଚିତ। “ତାଡିସରୁ ବାଇ” ଭାବେ ଜଣାଶୁଣା ସେ ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ବହୁ ଅନୁଗାମୀ ରହିଛନ୍ତି।
ତାଙ୍କ ଅସୁସ୍ଥତାକୁ ନେଇ ସ୍ଥାନୀୟ ଲୋକମାନେ ଉଦବେଗ ପ୍ରକାଶ କରିଥିବା ସହିତ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି। ସେଥିପାଇଁ ତାଙ୍କୁ ଉନ୍ନତ ଓ ବିଶେଷ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଦାବି ମଧ୍ୟ ହେଉଛି।



