କ୍ରୀଡ଼ା ସାମ୍ବାଦିକ ‘ ଏସ୍. ତ୍ୟାଗରାଜନଙ୍କ ପରଲୋକ

ଭାରତୀୟ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ଭେଟେରାନ୍ କ୍ରୀଡ଼ା ସାମ୍ବାଦିକ ଏସ୍. ତ୍ୟାଗରାଜନଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳେ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।
ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସହ ସଂଗ୍ରାମ କରୁଥିଲେ। ତାଙ୍କ ବିୟୋଗରେ କେବଳ ସାମ୍ବାଦିକତା ମହଲ ନୁହେଁ, ସାରା ବିଶ୍ୱର ହକି ପ୍ରେମୀମାନଙ୍କ ମଧ୍ୟରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
୧୯୬୧ ମସିହାରେ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ସହ ନିଜ ବୃତ୍ତିଜୀବନ ଆରମ୍ଭ କରିଥିବା ସେ, ୧୯୬୨ରେ ‘ଦି ହିନ୍ଦୁ’ ସହ ଯୁକ୍ତ ହୋଇଥିଲେ। ସେଠାରେ ସେ ଦୀର୍ଘ ୫୧ ବର୍ଷ ଧରି କାମ କରି ୨୦୧୩ରେ ଅବସର ଗ୍ରହଣ କରିଥିଲେ।
ତାଙ୍କର ଲେଖନୀ ଭାରତୀୟ ହକିକୁ ଏକ ଭିନ୍ନ ପରିଚୟ ଦେଇଥିଲା। ଖେଳର ପ୍ରତ୍ୟେକ କୌଶଳ ଓ ରଣନୀତିକୁ ସେ ସହଜ ଭାଷାରେ ପାଠକଙ୍କ ନିକଟକୁ ପହଞ୍ଚାଇ ପାରୁଥିଲେ।
ସେ ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ ‘ଓଲିମ୍ପିକ୍ସ’କୁ ୬ ଥର ଏବଂ ଏସୀୟ କ୍ରୀଡ଼ାକୁ ୯ ଥର କଭର କରିଥିଲେ। ଭାରତୀୟ ହକିର ସ୍ୱର୍ଣ୍ଣିମ ଯୁଗରୁ ଆରମ୍ଭ କରି ସଂଘର୍ଷର ସମୟ ପର୍ଯ୍ୟନ୍ତ ସେ ସବୁକୁ ନିଜ ଆଖିରେ ଦେଖିଥିଲେ।
ତାଙ୍କର ଅଭିଜ୍ଞତାକୁ ସମ୍ମାନ ଜଣାଇ International Hockey Federation ଏବଂ Asian Hockey Federation ତାଙ୍କୁ ବିଭିନ୍ନ ଗଣମାଧ୍ୟମ କମିଟିରେ ସ୍ଥାନ ଦେଇଥିଲେ।ସେ କେବଳ ରିପୋର୍ଟିଂରେ ସୀମିତ ନ ଥାଇ ସାମ୍ବାଦିକମାନଙ୍କ ଅଧିକାର ଓ ଉନ୍ନତି ପାଇଁ ସଦା ସକ୍ରିୟ ଥିଲେ। ତାଙ୍କର ସରଳ ଜୀବନଶୈଳୀ ଓ କ୍ରୀଡ଼ା ପ୍ରତି ନିଷ୍ଠା ଆଜିର ପିଢ଼ି ପାଇଁ ଏକ ପ୍ରେରଣା ରୂପେ ରହିବ। ତାଙ୍କ ବିୟୋଗରେ ବହୁ କ୍ରୀଡ଼ାବିତ୍ ଓ ପ୍ରଶାସକ ଗଭୀର ସମବେଦନା ଜଣାଇଛନ୍ତି। ସତରେ, ତ୍ୟାଗରାଜନ୍ଙ୍କ ବିନା ଭାରତୀୟ ହକି ସାମ୍ବାଦିକତା ଏକ ଅଧ୍ୟାୟ ହାରାଇଦେଲା।



