ଆଇନ କାନୁନମୁଖ୍ୟ ଖବର

ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ହେବ କାର୍ଯାନୁଷ୍ଠାନ:ଆଇନମନ୍ତ୍ରୀ

ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ ସଚେତନତା ଜାରି ହୋଇଛି। ଏଣିକି ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ କଡ଼ା ଆଇନି କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବାକୁ ପଡ଼ିପାରେ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦିନକୁ ଦିନ ସୋସିଆଲ ମିଡିଆରେ ଅଭଦ୍ର ଓ ଅଶ୍ଳୀଳ ଭାଷା ବ୍ୟବହାର ବଢ଼ିବାରୁ ଏହା ସମାଜର ସୁସ୍ଥ ପରିବେଶକୁ ପ୍ରଭାବିତ କରୁଛି। କିଛି ବ୍ୟକ୍ତି ନିଜ ସ୍ୱାର୍ଥ କିମ୍ବା ଭାବନା ପ୍ରକାଶ କରିବା ନାମରେ ଅପମାନଜନକ ଓ ଅସଭ୍ୟ ଭାଷା ବ୍ୟବହାର କରୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟାବଶ୍ୟକ ହୋଇପଡ଼ିଛି।

ଏହି ପରିସ୍ଥିତିକୁ ଦେଖି ସରକାର “ପ୍ରିଭେନସନ ଅଫ ହେଟ ସ୍ପିଚ୍ ଆଣ୍ଡ ହେଟ କ୍ରାଇମ୍ ଆକ୍ଟ ” ନାମରେ ଏକ ନୂତନ ଆଇନ ଆଣିବା ପାଇଁ ପ୍ରସ୍ତୁତି ଚାଲାଇଛନ୍ତି। ଏହି ଆଇନ ମାଧ୍ୟମରେ ସୋସିଆଲ ମିଡିଆରେ ଘୃଣାମୂଳକ ଭାଷା, ଅପମାନଜନକ ମନ୍ତବ୍ୟ ଓ ଅଶ୍ଳୀଳ ପୋଷ୍ଟ ଉପରେ ନଜର ରଖାଯିବ ଏବଂ ଦୋଷୀଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ ଗ୍ରହଣ କରାଯିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୋସିଆଲ ମିଡିଆ କେବଳ ମନୋରଞ୍ଜନ କିମ୍ବା ମତ ପ୍ରକାଶର ମାଧ୍ୟମ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ ସହିତ ଜଡିତ ପ୍ଲାଟଫର୍ମ। ତେଣୁ ଏଠାରେ ଶିଷ୍ଟ ଓ ସଭ୍ୟ ଭାଷା ବ୍ୟବହାର କରିବା ଜରୁରୀ। ଯେଉଁମାନେ ଏହାକୁ ଅବହେଳା କରିବେ, ସେମାନଙ୍କୁ କଡ଼ା ଶାସ୍ତି ଭୋଗିବାକୁ ପଡ଼ିପାରେ।

ଏହା ସହିତ, କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ ଅପଶବ୍ଦ ବ୍ୟବହାର ଉପରେ ରୋକ ଲଗାଯିବା ପାଇଁ ପ୍ରୟାସ ଚାଲିଛି। ଏନେଇ ଆଇନ କମିଶନ ପକ୍ଷରୁ ପ୍ରସ୍ତାବ ମଧ୍ୟ ଆସିଛି।

ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଳରେ ମତଭେଦ ଦେଖାଯାଉଛି। କେହି ଏହାକୁ ସମାଜର ଶିଷ୍ଟାଚାର ରକ୍ଷା ପାଇଁ ଆବଶ୍ୟକ ବୋଲି କହୁଥିବାବେଳେ, ଅନ୍ୟପକ୍ଷରେ କିଛି ଲୋକ ଏହାକୁ ମତପ୍ରକାଶର ସ୍ୱାଧୀନତା ଉପରେ ପ୍ରଭାବ ପକାଇପାରେ ବୋଲି ମତ ପ୍ରକାଶ କରୁଛନ୍ତି।

 

Show More

Related Articles

Back to top button