ମୁଖ୍ୟ ଖବରରାଜନୀତି

ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, EVMରେ ସିଲ୍ ହେଲା ନେତାଙ୍କ ଭାଗ୍ୟ

ଆଜି ଆସାମ-କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ମୋଟ ୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୨୯୬ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ, କୋଟିକୋଟି ଭୋଟର ନିଜର ମତାଧିକାର ପ୍ରୟୋଗ କରିଛନ୍ତି।

ଆସାମର ୧୨୬ଟି, କେରଳର ୧୪୦ଟି ଓ ପୁଡୁଚେରୀର ୩୦ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଥିଲା। ଆସାମରେ ପ୍ରାୟ ୨.୫ କୋଟି, କେରଳରେ ୨.୭ କୋଟି ଓ ପୁଡୁଚେରୀରେ ପ୍ରାୟ ୯.୪ ଲକ୍ଷ ଭୋଟର ଏହି ନିର୍ବାଚନରେ ଭାଗ ନେଇଥିଲେ।

ଆସାମରେ ମୁଖ୍ୟ ମୁକାବିଲା ଦୁଇ ପକ୍ଷରେ ଦେଖିବାକୁ ମିଳିଛି। ହେମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ ଏନଡିଏ ତୃତୀୟ ଥର ପାଇଁ ଶାସନ ଗଠନର ଲକ୍ଷ୍ୟ ନେଇ ମଞ୍ଚରେ ରହିଥିବା ବେଳେ, ଗୌରବ ଗୋଗେଇଙ୍କ ନେତୃତ୍ୱରେ କଂଗ୍ରେସ ଗଠବନ୍ଧନ ଦଶବର୍ଷ ପରେ ପୁନର୍ବାର ସତ୍ତାରେ ଫେରିବା ଆଶା ରଖିଛି। ଏଥିସହିତ AIUDF, ରାଇଜୋର ଦଳ ଓ ଆସାମ ଜାତୀୟ ପରିଷଦ ଭଳି ଆଞ୍ଚଳିକ ଦଳମାନେ କିଛି ଆସନରେ ଫଳାଫଳକୁ ପ୍ରଭାବିତ କରିପାରନ୍ତି। ଭୋଟିଂ ପାଇଁ ଆସାମରେ ୩୧,୪୯୦ଟି ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଥିଲା।

କେରଳରେ ୧୪୦ଟି ଆସନରେ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି। ପିନାରୟୀ ବିଜୟନ୍‌ଙ୍କ ନେତୃତ୍ୱରେ ଏଲ୍‌ଡିଏଫ୍‌ ତୃତୀୟ ଥର ପାଇଁ ଶାସନ ଧରିରଖିବାକୁ ଚେଷ୍ଟା କରୁଥିବା ବେଳେ, କଂଗ୍ରେସ ନେତୃତ୍ୱାଧୀନ UDF ଓ ବିଜେପି ନେତୃତ୍ୱାଧୀନ NDA ମଧ୍ୟ ଜୋରଦାର ପ୍ରତିସ୍ପର୍ଧା କରିଛନ୍ତି। ଦକ୍ଷିଣ ଭାରତରେ ନିଜ ପଦଚିହ୍ନ ମଜବୁତ କରିବା ପାଇଁ ବିଜେପି ବିଶେଷ ଜୋର ଦେଇଛି।

ପୁଡୁଚେରୀରେ NDA, କଂଗ୍ରେସ-ଡିଏମକେ ଗଠବନ୍ଧନ ଓ Vijayଙ୍କ ନବଗଠିତ ଦଳ TVK ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି। ଏଠାରେ ମୋଟ ୧,୦୯୯ଟି ମତଦାନ କେନ୍ଦ୍ରରେ ଭୋଟିଂ ହୋଇଛି।

ସଂନ୍ଧ୍ୟା ୫ଟା ସୁଦ୍ଧା ଆସାମରେ ୮୪.୪୨%, କେରଳରେ ୭୫.୦୧% ଓ ପୁଡୁଚେରୀରେ ୮୬.୯୨% ମତଦାନ ରେକର୍ଡ ହୋଇଛି। ସମଗ୍ର ମତଦାନ ପ୍ରକ୍ରିୟା ଶାନ୍ତି ଓ ଶୃଙ୍ଖଳାରେ ସମାପ୍ତ ହୋଇଥିବା ସୂଚନା ମିଳିଛି।

ଏହି ନିର୍ବାଚନରେ ଭୋଟିଂ ଶେଷ ହେବା ସହିତ EVMରେ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇଯାଇଛି। ଏବେ ସମସ୍ତଙ୍କ ଦୃଷ୍ଟି ଆସନ୍ତା ମେ’ ୪ ତାରିଖରେ ଫଳାଫଳ ପ୍ରକାଶ ଉପରେ ରହିଛି, ଯାହା ଏହି ତିନୋଟି ଅଞ୍ଚଳର ରାଜନୀତିକ ଭବିଷ୍ୟତ ନିର୍ଣ୍ଣୟ କରିବ।

 

Show More

Related Articles

Back to top button