ଅପରାଧମୁଖ୍ୟ ଖବର

କୋଣାର୍କ ଟୁରିଷ୍ଟ ମାର୍କେଟରେ ଚଢାଉ: ୩ ହୋଟେଲରୁ ୧୫ ବେଆଇନ ଗ୍ୟାସ ସିଲିଣ୍ଡର ଜବତ

ଗୁରୁବାର କୋଣାର୍କ ଟୁରିଷ୍ଟ ମାର୍କେଟ ଅଞ୍ଚଳରେ ବେଆଇନ ଗ୍ୟାସ ବ୍ୟବହାର ଉପରେ କଡ଼ା ଅଭିଯାନ ଚାଲିଛି। ଯୋଗାଣ ବିଭାଗ ପକ୍ଷରୁ ଏକ ବିଶେଷ ଟିମ୍ ଗଠନ କରାଯାଇ ମାର୍କେଟ୍‌ର ୩ଟି ହୋଟେଲରେ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ବେଆଇନ ଭାବେ ବ୍ୟବହୃତ ୧୫ଟି ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି

କୋଣାର୍କ ଅଞ୍ଚଳରେ ଗ୍ୟାସ ଅଭାବ ସମସ୍ୟା ଦେଖାଦେବା ସହ ଉପଭୋକ୍ତାମାନେ ଅସୁବିଧାରେ ପଡ଼ୁଥିବା ଖବର ପ୍ରକାଶ ପାଇଥିଲା। ଏହାସହ ଗ୍ୟାସର କଳାବଜାରୀ ସମ୍ପର୍କିତ ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିଲା। ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି।

ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନେତୃତ୍ୱରେ ଏହି ଅଭିଯାନରେ ସୁଜାତା କମଳିନୀ ମଲି, ସୁବାଶ ବିଶ୍ୱାଳ, ରଚିତା ପଣ୍ଡା ଓ କୋଣାର୍କ ପୋଲିସ ମିଶି ସହଯୋଗ କରିଥିଲା । ଟିମ୍‌ ହୋଟେଲଗୁଡିକରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ବୈଧତା ଯାଞ୍ଚ କରି ବେଆଇନ ସିଲିଣ୍ଡରଗୁଡିକୁ ଜବତ କରିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗ୍ୟାସ କଳାବଜାରୀ ଓ ବେଆଇନ ବ୍ୟବହାର ଉପରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ଯୋଗାଣ ବିଭାଗ କହିଛି ଯେ, ଏପରି ଚଢାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଧାରଣ ଉପଭୋକ୍ତାମାନେ ଗ୍ୟାସ ଅଭାବର ସମସ୍ୟାରୁ ମୁକ୍ତି ପାଇପାରିବେ।

Show More

Related Articles

Back to top button