
ନୂଆ ଦିଲ୍ଲୀରେ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ହ୍ରାସ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। “ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୨୦୩୦” ଚିଠା ପ୍ରସ୍ତାବ ଅନୁସାରେ, ଆଗାମୀ କିଛି ବର୍ଷରେ ପେଟ୍ରୋଲ ଓ ସିଏନଜି ଚାଳିତ ଯାନ ଉପରେ କଟକଣା ଲାଗିବ।
ଏହି ଡ୍ରାଫ୍ଟ ପଲିସି ଅନୁଯାୟୀ, ୨୦୨୮ ଏପ୍ରିଲ ୧ ତାରିଖରୁ ଦିଲ୍ଲୀରେ ନୂତନ ପେଟ୍ରୋଲ ଦୁଇଚକିଆ ଯାନର ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ ହେବ। ସେଠାରୁ କେବଳ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନକୁ ଅନୁମତି ମିଳିବ। ଏହା ପୂର୍ବରୁ, ୨୦୨୭ ଜାନୁଆରୀ ୧ ଠାରୁ ନୂତନ ତିନିଚକିଆ ଯାନର ପଞ୍ଜୀକରଣ କେବଳ ବୈଦ୍ୟୁତିକ ମଡେଲ ପାଇଁ ହେବ।
ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣାଯାଇଛି। ୨୦୨୬ ଜାନୁଆରୀରୁ ଆଗ୍ରିଗେଟର (ଯଥା କ୍ୟାବ ସେବା) କମ୍ପାନୀମାନେ ନୂତନ ପେଟ୍ରୋଲ କିମ୍ବା ଡିଜେଲ ଯାନ କିଣି ପାରିବେ ନାହିଁ। ସେଥିପାଇଁ ସରକାରୀ ଯାନ ଓ ସ୍କୁଲ ବସ୍ଗୁଡ଼ିକୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ୍ କରିବା ପାଇଁ ମଧ୍ୟ ଲକ୍ଷ୍ୟ ଧରାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହିତ ସବୁଜ ଓ ପରିବେଶ-ମିତ୍ର ପରିବହନ ବ୍ୟବସ୍ଥାକୁ ଆଗେଇ ନେବା ଲକ୍ଷ୍ୟ ରହିଛି।



