
ଯାଜପୁର: ଜିଲ୍ଲାର କାଳିମେଘା ନିକଟରେ ଘଟିଥିବା ସୋମ୍ୟ ସାଗର ସାମଲଙ୍କ ହତ୍ୟାକାଣ୍ଡରେ ପୁଲିସ ଚମକପୂର୍ଣ୍ଣ ଖୋଲାସା କରିଛି। ଘଟଣାର ପୂର୍ଣ୍ଣ ପର୍ଦାଫାସ କରି ପୁଲିସ ମୃତକଙ୍କ ପତ୍ନୀ ସହ ମୋଟ ୫ ଜଣଙ୍କୁ ଗିରଫ କରିଛି। ପ୍ରେମ ସମ୍ପର୍କ ଓ ବ୍ୟକ୍ତିଗତ ବିରୋଧ ଏହି ହତ୍ୟାର ପ୍ରମୁଖ କାରଣ ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।
ଗତ ୬ ତାରିଖ ରାତିରେ କୁଆଁସରପୁର ଅଞ୍ଚଳର ସୋମ୍ୟ ସାଗର ସାମଲଙ୍କୁ କାଳିମେଘା ନିକଟରେ ଗୁଳି ମାଡ଼ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରେ କଟକର ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରଥମେ ଘଟଣାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ, ପୁଲିସ ଗଭୀର ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ ଟିମ୍ ଓ ଟେକ୍ନିକାଲ ଏନାଲିସିସ୍ ମାଧ୍ୟମରେ ପ୍ରମାଣ ସଂଗ୍ରହ କରାଯାଇଥିଲା। ତଦନ୍ତ ଆଗକୁ ବଢ଼ିବା ସହ ଘଟଣାର ଚକିତକର ତଥ୍ୟ ସାମ୍ନାକୁ ଆସିଥିଲା।
ପୁଲିସ ସୂଚନା ଅନୁଯାୟୀ, ମୃତକଙ୍କ ପତ୍ନୀ ଶୁଭଶ୍ରୀ ଓ ତାଙ୍କ ପ୍ରେମିକ ତାପସ କୁମାର ଖିଲାର ମିଶି ଏହି ହତ୍ୟାର ଯୋଜନା କରିଥିଲେ। ତାପସଙ୍କ ସହଯୋଗରେ ରାଉରକେଲାରୁ ଦୁଇ ଜଣ ସୁପାରି କିଲରକୁ ନିଯୁକ୍ତ କରାଯାଇଥିଲା। ଏହି ଷଡଯନ୍ତ୍ରରେ ତାପସଙ୍କ ଭଉଣୀ ପ୍ରୀତିପ୍ରଭା ପ୍ରିୟଦର୍ଶିନୀ (ଚିନୁ) ମଧ୍ୟ ଜଡିତ ଥିବା ପୁଲିସ କହିଛି।
ଏହି ମାମଲାରେ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ମୃତକଙ୍କ ପତ୍ନୀ, ତାଙ୍କ ପ୍ରେମିକ, ପ୍ରେମିକଙ୍କ ଭଉଣୀ ଓ ଦୁଇ ସୁପାରି କିଲର ଅଛନ୍ତି। ପୁଲିସ ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକ, ଏକ ମୋଟରସାଇକେଲ ଓ ୭ଟି ମୋବାଇଲ ଫୋନ୍ ଜବତ କରିଛି।
ଅନ୍ୟପଟେ, ହତ୍ୟାରେ ବ୍ୟବହୃତ ବନ୍ଧୁକଟିକୁ ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରୁ ଉଦ୍ଧାର କରାଯାଇଛି।
ଯାଜପୁର ଏସପି ୟସ ପ୍ରତାପ ଶ୍ରୀମାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରେମ ସମ୍ପର୍କ ଓ ବ୍ୟକ୍ତିଗତ ବିରୋଧ ହିଁ ଏହି ହତ୍ୟାର ମୂଳ କାରଣ। ଘଟଣାରେ ଆହୁରି ତଦନ୍ତ ଜାରି ରହିଛି।


