
ମାଲକାନଗିରି: ଜିଲ୍ଲା କୋର୍ଟ ପରିସରରେ ସୋମବାର ଅପରାହ୍ନରେ ବୋମା ଆତଙ୍କ ସୃଷ୍ଟି ହୋଇଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି।
ଧମକ ମେଲ ମିଳିବା ସହିତ ସହିତ ବିଚାରପତି, ଓକିଲ ଏବଂ କୋର୍ଟ କର୍ମଚାରୀମାନେ ଭୟଭୀତ ହୋଇ କୋର୍ଟ ପରିସର ଖାଲି କରିଦେଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବା ବେଳେ ସ୍ଥାନୀୟ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସରକୁ ଘେରାଉ କରିଥିଲେ।
ଏହା ପରେ ବିଶେଷଜ୍ଞ ଦଳଙ୍କୁ ଡାକାଯାଇଥିଲା। ବିଏସଏଫ ବାହିନୀର ସନ୍ଧାନି କୁକୁର ଓ ବୋମା ନିଷ୍କ୍ରିୟ ଦଳ ମଧ୍ୟ ସ୍ଥଳରେ ପହଞ୍ଚି ସମଗ୍ର କୋର୍ଟ ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପ୍ରତ୍ୟେକ କୋଣାକୁ ଖୋଜଖବର ନେଇ ସନ୍ଦେହଜନକ ବସ୍ତୁ ଖୋଜାଯାଉଛି।
ପୁଲିସ୍ ପକ୍ଷରୁ କହାଯାଇଛି ଯେ ଧମକ ମେଲଟି କେଉଁଠାରୁ ପଠାଯାଇଛି ତାହା ଟ୍ରେସ କରିବାକୁ ସାଇବର ଟିମ୍ ତଦନ୍ତ ଆରମ୍ଭ କରିଛି। ପ୍ରଥମିକ ତଦନ୍ତରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଖୋଜାଖୋଜି ଜାରି ରହିଛି।
ଏହି ଘଟଣା ପରେ କୋର୍ଟ କାର୍ଯ୍ୟକଳାପକୁ ସ୍ଥଗିତ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍କଣ୍ଠାର ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍ ଲୋକମାନଙ୍କୁ ଗଞ୍ଜାମ ନକରି ସହଯୋଗ କରିବାକୁ ଅନୁରୋଧ କରିଛି।



