
ନୂଆଦିଲ୍ଲୀ: ରାଜସ୍ଥାନର ବାଡ଼ମେର ଜିଲ୍ଲାର ବାଲୋତ୍ରାରେ ଅବସ୍ଥିତ ପଚପଦରା ତୈଳ ବିଶୋଧନାଗାରରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ସମଗ୍ର ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି କରିଛି। ରିଫାଇନାରୀର CDU (କ୍ରୁଡ୍ ଡିଷ୍ଟିଲେସନ୍ ୟୁନିଟ୍)ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ। ନିଆଁ ଭୟଙ୍କର ଆକାର ଧାରଣ କରିଥିବାରୁ ରିଫାଇନାରୀ ପ୍ରାଙ୍ଗଣ ଓ ଆସପାସ ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ଖାଲି କରାଯାଇଥିଲା। ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡରେ କୌଣସି ମୃତ୍ୟୁ କିମ୍ବା ଗୁରୁତର ଆହତ ଘଟିନଥିବା ସୂଚନା ମିଳିଛି।

ଏହି ଘଟଣା ଅଧିକ ଗୁରୁତ୍ୱ ପାଇଛି କାରଣ ଆସନ୍ତାକାଲି ନରେନ୍ଦ୍ର ମୋଦୀ ଏହି ରିଫାଇନାରୀର ଉଦଘାଟନ କରିବାକୁ ଥିଲେ। ଏହା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଘଟଣା ଘଟିଥିବାରୁ ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସେହିପରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମଧ୍ୟ ଅପରାହ୍ନ ୪:୩୦ରେ ସ୍ଥଳ ପରିଦର୍ଶନ କରିବାକୁ ଥିଲେ, କିନ୍ତୁ ତା’ପୂର୍ବରୁ ଏହି ଅଘଟଣ ଘଟିଯାଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଶୋଧିତ ତୈଳ ପ୍ରକ୍ରିୟାକରଣ ୟୁନିଟରେ କୌଣସି ପ୍ରାବିଧିକ ତ୍ରୁଟି କିମ୍ବା ଗ୍ୟାସ୍ ଲିକ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ, ଯଦିଓ ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ବୈଷୟିକ ଦଳ, ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞମାନେ ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଅଗ୍ନିକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପଡ଼ିବ କି ନାହିଁ, ସେଥିପାଇଁ ମଧ୍ୟ ଚର୍ଚ୍ଚା ଚାଲିଛି। ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ନିକଟରୁ ନଜର ରଖାଯାଇଥିବା ବେଳେ, ନିଆଁକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ଓ ଆଗାମୀ ବିପଦକୁ ରୋକିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।



