
ପୁରୀ: ଆସନ୍ତାକାଲି ପୁରୀରେ ସର୍ବଭାରତୀୟ ସ୍ତରର ବାଚସ୍ପତି ସମ୍ମିଳନୀ ଆୟୋଜିତ ହେବ। ଏହାକୁ ନେଇ ରାଜନୈତିକ ଓ ସାଂସଦୀୟ ମହଳରେ ଚର୍ଚ୍ଚା ବଢ଼ିଛି।
ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ କମିଟି ଏହି ସମ୍ମିଳନୀର ଆୟୋଜନ କରୁଛି। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକର ଏହାର ଅଧ୍ୟକ୍ଷତା କରିବେ।
ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀଙ୍କ ତତ୍ତ୍ୱାବଧାନରେ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି। ଏହି ବୈଠକରେ ମହାରାଷ୍ଟ୍ର, ଓଡ଼ିଶା, କର୍ଣ୍ଣାଟକ ଓ ନାଗାଲାଣ୍ଡ ବିଧାନସଭାର ବାଚସ୍ପତିମାନେ ଯୋଗଦେବେ।
ସମ୍ମିଳନୀରେ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା, ବର୍ତ୍ତମାନ ପରିପ୍ରେକ୍ଷିତରେ ଏହାର କାର୍ଯ୍ୟକାରିତା ଓ ପରିବର୍ତ୍ତନ ଉପରେ ବିସ୍ତୃତ ଆଲୋଚନା ହେବ। ବିଶେଷ କରି ରାଜନୀତିରେ ବଢ଼ୁଥିବା ଦଳବଦଳ ପ୍ରବଣତାକୁ କିପରି ରୋକାଯାଇପାରିବ, ସେଥିପାଇଁ ମନ୍ଥନ କରାଯିବ।
ଏହି ସମ୍ମିଳନୀରେ ସମ୍ବିଧାନ ବିଶେଷଜ୍ଞ, ଓଡ଼ିଶାର ଆଡ୍ଭୋକେଟ୍ ଜେନେରାଲ, ଲୋକସଭାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଧାନସଭାର ସଚିବମାନେ ଯୋଗଦେବେ।
ଏହି ବୈଠକ ଭବିଷ୍ୟତରେ ସାଂସଦୀୟ ପ୍ରଣାଳୀକୁ ଆହୁରି ସୁଦୃଢ଼ କରିବାରେ ମାର୍ଗଦର୍ଶନ ଦେବ ବୋଲି ଆଶା କରାଯାଉଛି।



