
ରାୟପୁର: ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଘରୋଇ ଚାଟାର୍ଡ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ନାରାୟଣପୁର ଥାନା ଅଧିନ ଆରା ପାହାଡ଼ ଅଞ୍ଚଳରେ ବିମାନଟି ଦୁର୍ଘଟଣାର ଶୀକାର ହୋଇଥିଲା। ଭୂମିରୁ ପ୍ରାୟ ୩୦ ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ବିମାନଟି ଗଛକୁ ଧକ୍କା ଦେଇ ତଳକୁ ପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଓ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି।
ତେବେ ଏହି ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ ପାଇନାହିଁ।



