ଅପରାଧମୁଖ୍ୟ ଖବରରାଜନୀତି

ରାସନ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ


କଲକାତା: ରାସନ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାକୁ ନେଇ ପୂର୍ବତନ ଟିଏମସି ସାଂସଦ ଏବଂ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାନ ବୁଧବାର କଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ପକ୍ଷରୁ ଗତ ୨୦ ତାରିଖରେ ତାଙ୍କୁ ସମନ ଜାରି କରାଯାଇଥିଲା, ଯାହା ଅନୁଯାୟୀ ସେ ଆଜି ସଲ୍ଟ ଲେକ୍‌ ଅବସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ପଚରାଉଚରାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ସମନ ଜାରି ସମୟରେ ନୁସରତ ଜାହାନ ବିଦେଶରେ ଛୁଟି କାଟୁଥିବାରୁ ସେ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଏହି ଅନୁରୋଧକୁ ଇଡି ଖାରଜ କରିଦେଇଥିଲା। ପରେ ସେ ନିର୍ଦ୍ଧାରିତ ତାରିଖରେ କଲକାତା କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୨୦ ମସିହାରେ କୋଭିଡ୍-୧୯ ଲକଡାଉନ୍ ସମୟରେ ବାଂଲାଦେଶକୁ ଗହମ ଓ ଚାଉଳ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଥିଲା। ବସିରହାଟ ସୀମାଞ୍ଚଳରେ ଏହି ଅବୈଧ ଚାଲାଣ ସହ ସଂପୃକ୍ତ ଅନେକ ଟ୍ରକ ଜବତ କରାଯାଇଥିଲା। ସେ ସମୟରେ ନୁସରତ ଜାହାନ ବସିରହାଟର ସାଂସଦ ଥିବାରୁ ତଦନ୍ତରେ ତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି।

ଏହି ମାମଲାର ତଦନ୍ତ ସମୟରେ ଅନେକ ବ୍ୟକ୍ତି ଓ ନେତାଙ୍କ ନାମ ଜଡିତ ଥିବା ତଥ୍ୟ ମିଳିଥିବାରୁ ଇଡି ପକ୍ଷରୁ ପଚରାଉଚରା ଜାରି ରହିଛି। ନୁସରତ ଜାହାନଙ୍କୁ ମଧ୍ୟ ଏହି ସଂପର୍କରେ ପ୍ରଶ୍ନ କରାଯାଉଥିବା ଜଣାପଡ଼ିଛି।

ଏହି ଘଟଣା ପୁଣିଥରେ ପଶ୍ଚିମବଙ୍ଗର ରାସନ ଦୁର୍ନୀତି ମାମଲାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଆଣିଦେଇଛି ଏବଂ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ।

Show More

Related Articles

Back to top button