
ପଶ୍ଚିମବଙ୍ଗରେ ମତଦାନ ତାରିଖ ନିକଟବର୍ତ୍ତୀ ହେବା ସହିତ ନିର୍ବାଚନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ କଡା ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟରେ ପୂର୍ବରୁ ହିଂସାତ୍ମକ ଘଟଣାର ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏଥର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସାରା ରାଜ୍ୟରେ ଦୁଇଚକିଆ ଯାନ ଉପରେ ବିଶେଷ କଟକଣା ଲାଗୁ ହୋଇଛି। ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିବା ବେଳେ, ରାତିରେ ବାଇକ୍ ଓ ସ୍କୁଟର ଚଳାଚଳ ଉପରେ ମଧ୍ୟ ନିଷେଧ ଜାରି ହୋଇଛି। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କେହି ବି ଦୁଇଚକିଆ ଯାନ ଚଳାଇ ପାରିବେ ନାହିଁ।
ଏହା ସହ ବାଇକ୍ରେ ପଛରେ ଯାତ୍ରୀ ବସାଇବା ଉପରେ ମଧ୍ୟ ପ୍ରତିବନ୍ଧ ଲାଗୁ ହୋଇଛି। ତଥାପି ଚିକିତ୍ସା ଓ ଜରୁରୀ ପରିସ୍ଥିତିରେ କଟକଣାରେ କିଛି ରାହତ ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ବେଳେ, ମତଦାନ ପୂର୍ବରୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ସମୟରେ ଏହି ନୂଆ ନିୟମ ଲାଗୁ କରାଯାଇଛି। ରାଜ୍ୟର ସମସ୍ତ ୧୫୨ଟି ବିଧାନସଭା ମଣ୍ଡଳୀରେ ଏହି କଟକଣା ଲାଗୁ ହେବ।
ନିର୍ବାଚନୀ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ନିଷ୍ପକ୍ଷ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ବେଳେ, ଭୟଭୀତ କରିବା କିମ୍ବା ବାଧା ସୃଷ୍ଟି କରିବା ଆଶଙ୍କାକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କହାଯାଇଛି।



