ବନ ବିଭାଗ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ ଲୋକେ

ଉଦଳା, 24 ଏପ୍ରିଲ: ବନ ବିଭାଗ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ ଲୋକେ । ଡୁକୁରା ବନାଞ୍ଚଳ ବହଳଦା ଗାଁରେ ଆକ୍ରମଣ । ହାତୀ ଘଉଡ଼ାଇବାକୁ ବନ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ ଆକ୍ରମଣ କରିଛନ୍ତି ଲୋକେ । ଫରେଷ୍ଟରଙ୍କ ସମେତ ୬ଜଣଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି
ଦନ୍ତାହାତୀ ଘର ଭାଙ୍ଗିବା ପରେ ସ୍ଥାନୀୟ ଲୋକେ ବନକର୍ମଚାରୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ହାତୀକୁ ଟ୍ରାକ କରୁଥିବା ବନବିଭାଗ ଗାଡିକୁ ଭାଙ୍ଗିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି ।
ସୂଚନା ଅନୁସାରେ, ଶିମିଳିପାଳରୁ ଏକ ଦନ୍ତାହାତୀ ଜନବସତି ମୁହାଁ ହୋଇଥିଲା । ଏହାକୁ ଜଙ୍ଗଲକୁ ଘଉଡାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଥିଲା ବେଳେ ହାତୀଟି ବହଳଦା ଅଞ୍ଚଳରେ ପ୍ରବେଶ କରି କିଛି ଘର ଭାଙ୍ଗିଦେଇଥିଲା । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହାତୀ ଘଉଡାଇବାକୁ ଯାଇଥିବା ବନକର୍ମଚାରୀଙ୍କୁ ଅଟକାଇ ନିସ୍ତୁକ ମାଡମାରିବା ସହ ବଲେରୋ ଗାଡିଟିକୁ ଭାଙ୍ଗିରୁଜି ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବାରୁ ବାରିପଦାରୁ ଅଧିକ ବନକର୍ମଚାରୀ ଯାଇ ଫସିରହିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା ଅପରାହ୍ନ ସମୟରୁ ହାତୀ ଜନବସତି ମୁହାଁ ହୋଇଥିବା ଖବର ବନବିଭାଗକୁ ଦିଆଯାଇଥିଲା ।
ସନ୍ଧ୍ୟାରେ ହାତୀ ଘର ଭାଙ୍ଗିବା ଆରମ୍ଭ କରିଥିଲେ ସୁଦ୍ଧା ବନବିଭାଗ ଅଞ୍ଚଳରେ ପହଞ୍ଚିନଥିଲେ । ତେବେ ରାତିରେ ବନବିଭାଗ ହାତୀ ଘଉଡାଇବାକୁ ପହଞ୍ଚିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବନକର୍ମଚାରୀଙ୍କୁ ଅଟକ ରଖିଥିଲେ ।



