
ପଞ୍ଜାବ: ପଞ୍ଜାବର ପଟିଆଲା ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ରେଳ ଟ୍ରାକ୍ରେ ବିସ୍ଫୋରଣ ଘଟିଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ରାଜପୁରା ଓ ଶମ୍ଭୁ ରେଳ ଷ୍ଟେସନ ମଧ୍ୟରେ ଥିବା ଡେଡିକେଟେଡ୍ ଫ୍ରେଟ୍ କରିଡର (DFCCI) ଲାଇନରେ ଏହି ଘଟଣା ଘଟିଥିଲା। ବିସ୍ଫୋରଣର ଶବ୍ଦ ଦୂରଦୂରନ୍ତରୁ ଶୁଣାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ବ୍ୟାପିଯାଇଥିଲା।
ସୂଚନା ପାଇ ସହସ୍ରେ ରେଳ ସୁରକ୍ଷା ବଳ (RPF), GRP ଓ ସ୍ଥାନୀୟ ପୋଲିସ୍ ଦଳ ଘଟଣାସ୍ଥଳକୁ ପହଞ୍ଚି ଅଞ୍ଚଳକୁ ସିଲ୍ କରିଦେଇଛନ୍ତି। ପ୍ରାଥମିକ ତଦନ୍ତରେ ରେଳ ଟ୍ରାକ୍ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଅଧିକାରୀମାନଙ୍କ କହିବା ଅନୁସାରେ ଏହା କମ୍ ତୀବ୍ରତାର ବିସ୍ଫୋରଣ ଥିଲା।
ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି ସମ୍ପର୍କିତ ସୂଚନା ମିଳିନଥିଲେ ମଧ୍ୟ, ଘଟଣାସ୍ଥଳରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ ହୋଇଛି। ବରୁଣ ଶର୍ମା କହିଛନ୍ତି ଯେ ବିସ୍ଫୋରଣର ପ୍ରକୃତ କାରଣ ଓ ପଛରେ କିଏ ଅଛନ୍ତି, ସେଥିପାଇଁ ସମସ୍ତ ଦିଗରୁ ତଦନ୍ତ କରାଯାଉଛି।
ସୁରକ୍ଷା ଏଜେନ୍ସୀମାନେ ଏହାକୁ ସମ୍ଭାବ୍ୟ ଷଡ଼ଯନ୍ତ୍ର ଭାବେ ଦେଖୁଥିବା ବେଳେ, କିଛି ଦିନ ପୂର୍ବରୁ ଚଣ୍ଡିଗଡ଼ରେ ଘଟିଥିବା ବିସ୍ଫୋରଣ ସହ ଏହାର ସମ୍ପର୍କ ଅଛି କି ନାହିଁ, ଏବେ ସମ୍ପୂର୍ଣ୍ଣ ଘଟଣା ତଦନ୍ତାଧୀନ ରହିଛି ।



