
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି। ଦୁଇ ମହିଳାଙ୍କ ସହ ଅସଦାଚରଣ ଓ ଯୌନ ଉତ୍ପୀଡ଼ନ ଉଦ୍ୟମ ଅଭିଯୋଗକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କୁ ନିର୍ମମ ଭାବେ ମାଡ଼ ମାରିଥିବା ବେଳେ, ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ମୃତକ ହେଲେ କଟକ ଅଡଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ୱାଇଁ। ସେ ଓଡ଼ିଶା ପୋଲିସର ଜିଆର୍ପି ଶାଖାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ଅନ୍ୟପଟେ ଆହତ ଓମ୍ ପ୍ରକାଶ ରାଉତଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁଯାୟୀ, ଦୁଇ ଯୁବକ ମୋଟରସାଇକେଲରେ ଯାଉଥିବା ବେଳେ ଦୁଇ ମହିଳା ଯାଉଥିବା ଏକ ସ୍କୁଟି ସହ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ମହିଳାମାନେ ଯୁବକମାନଙ୍କ ବିରୋଧରେ ଅସଦାଚରଣ ଓ ଯୌନ ଉତ୍ପୀଡ଼ନ ଉଦ୍ୟମ ଅଭିଯୋଗ ଆଣିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଧରି ବାଉଁଶରେ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ।
ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଆହତ ଓମ୍ ପ୍ରକାଶଙ୍କ ବୟାନ ରେକର୍ଡ କରିଛି।
ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ ଭିଡିଓ ଫୁଟେଜ ଯାଞ୍ଚ କରାଯାଉଛି। ବାଲିଅନ୍ତା ଥାନାରେ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଙ୍କ ସହ ଆଲୋଚନା କରି ନିଷ୍ପକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୀଡ଼ିତ ମହିଳାମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।



