

ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ରିଲିଫ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୨ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟର ଡିଏ ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତକୁ ପହଞ୍ଚିଛି।
ସରକାରୀ ସୂଚନା ଅନୁଯାୟୀ, ଏହି ବର୍ଦ୍ଧିତ ଡିଏ ୨୦୨୬ ଜାନୁଆରୀ ଠାରୁ ପିଛିଲା ଭାବରେ ଲାଗୁ ହେବ। ଏହାର ଲାଭ ଚଳିତ ମେ ମାସର ଦରମାରେ ନଗଦ ଆକାରରେ ମିଳିବ ବୋଲି ଘୋଷଣା କରାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଧାରଣ କର୍ମଚାରୀଙ୍କ ମାସିକ ଆୟରେ ସିଧାସଳଖ ବୃଦ୍ଧି ହେବା ସହ ମହଙ୍ଗା ଜୀବନଯାପନରେ କିଛି ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ପେନ୍ସନଭୋଗୀମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ଟିଆଇ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ମେ ମାସର ପେନ୍ସନ ସହ ବର୍ଦ୍ଧିତ ରାଶି ପାଇବେ।ସରକାରୀ ଆକଳନ ଅନୁଯାୟୀ, ଏହି ନିଷ୍ପତ୍ତିରେ ରାଜ୍ୟର ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ସିଧାସଳଖ ଉପକୃତ ହେବେ। ଏହାକୁ କର୍ମଚାରୀ ମହଲରେ ସ୍ୱାଗତ କରାଯାଇଛି।