ଅମରାବତୀ ହସ୍ପିଟାଲର ଏନଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୩ ନବଜାତ ଶିଶୁ ମୃତ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ସୋମବାର ଭୋର ସମୟରେ ଏକ ଦୁଃଖଦ ଅଗ୍ନିକାଣ୍ଡରେ ୩ ନବଜାତ ଶିଶୁଙ୍କ ଜୀବନ ଯାଇଛି। ସହରର ସରକାରୀ ମହିଳା ହସ୍ପିଟାଲର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ରେ ଭୋର ପ୍ରାୟ ୩ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଉ ୬ ଶିଶୁ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ,ଏନଆଇସିୟୁରେ ଥିବା ଏକ ଭେଣ୍ଟିଲେଟରରେ ହଠାତ୍ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା। ହସ୍ପିଟାଲର ତୃତୀୟ ମହଲାରେ ଥିବା ଏହି ୟୁନିଟ୍ରେ ୩ଟି କୋଠରୀରେ ପ୍ରାୟ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ। ନିଆଁ ଲାଗିବା ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଥିଲା।
ଘଟଣା ଜଣାପଡ଼ିବା ମାତ୍ରେ ଡାକ୍ତର, ନର୍ସ ଓ ଡ୍ୟୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଭେଣ୍ଟିଲେଟର ଓ ଅନ୍ୟ ଚିକିତ୍ସା ଉପକରଣରେ ଥିବା ଶିଶୁମାନଙ୍କୁ ଶୀଘ୍ର ବାହାର କରି ନିରାପଦ ସ୍ଥାନକୁ ନିଆଯାଇଥିଲା। ତେବେ ଘଟଣାରେ ୩ ଜଣ ନବଜାତ ଶିଶୁଙ୍କୁ ବଞ୍ଚାଇ ହୋଇନଥିଲା।
ଆହତ ୬ ଶିଶୁଙ୍କୁ ତୁରନ୍ତ ଅନ୍ୟ ଏକ ସରକାରୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା ଚାଲିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଭେଣ୍ଟିଲେଟରରେ କିପରି ବିସ୍ଫୋରଣ ଘଟିଲା, ତାହା ନେଇ ତଦନ୍ତ ଆରମ୍ଭ ହୋଇଛି।



