
ବିଶାଖାପାଟଣାସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ ‘ଆଇଏନ୍ଏସ୍ ନିପୁଣ’କୁ ସୋମବାର ଭାରତୀୟ ନୌସେନାରେ ସାମିଲ କରାଯିବ। ମୁମ୍ବାଇ ନୌସେନା ଡକୟାର୍ଡରେ ଏହାର ଜଳାବତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୌସେନାରେ ଏହା ଦ୍ୱିତୀୟ ଡାଇଭିଂ ସପୋର୍ଟ ଭେସେଲ୍ ଭାବେ କାର୍ଯ୍ୟ କରିବ।
ପ୍ରାୟ ୧୦,୫୦୦ ଟନ୍ ଓଜନର ଏହି ଜାହାଜର ଲମ୍ବ ୧୧୯ ମିଟର ଏବଂ ଚଉଡ଼ା ୨୨.୮ ମିଟର। ଏହା ପ୍ରାୟ ୧୮ ନଟ୍ ବେଗରେ ଗତି କରିପାରିବ। ତେବେ ଏହାର ମୁଖ୍ୟ ବିଶେଷତା କେବଳ ଗତି ନୁହେଁ; ଦୀର୍ଘ ସମୟ ସମୁଦ୍ରରେ ରହିବା ସହ ସମୁଦ୍ରର ଗଭୀର ଅଞ୍ଚଳରେ ଜଟିଳ ଓ ବିଶେଷ ଅଭିଯାନ ପରିଚାଳନା କରିବାର କ୍ଷମତା ଏହାକୁ ସ୍ୱତନ୍ତ୍ର କରିଛି।
ସମୁଦ୍ରତଳରେ ଡାଇଭିଂ ଅଭିଯାନ ଏବଂ ବିଭିନ୍ନ ଜଟିଳ କାର୍ଯ୍ୟରେ ଏହି ଜାହାଜ ନୌସେନାକୁ ସହାୟତା କରିବ। ଏହା ଯୋଗୁଁ ଗଭୀର ସମୁଦ୍ରରେ ନୌସେନାର କାର୍ଯ୍ୟକ୍ଷମତା ଆହୁରି ବୃଦ୍ଧି ପାଇବ।
‘ନିପୁଣ’ ନାମଟି ସଂସ୍କୃତ ଶବ୍ଦରୁ ଆସିଛି। ଏହାର ଅର୍ଥ ହେଉଛି କୁଶଳୀ, ଦକ୍ଷ ବା କୌଣସି କାର୍ଯ୍ୟରେ ପାରଦର୍ଶୀ। ଜାହାଜର କାର୍ଯ୍ୟକ୍ଷମତା ଓ ଭୂମିକାକୁ ଦୃଷ୍ଟିରେ ରଖି ଏହି ନାମକରଣ କରାଯାଇଛି।



