ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧି ବଢ଼ିଲା
ଚାଷୀଙ୍କୁ ମିଳିଲା ଆଉ ୭ ଦିନ ସୁଯୋଗ

ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିନଥିବା ଚାଷୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଧାନ ପଞ୍ଜୀକରଣର ଧାର୍ଯ୍ୟ ସମୟସୀମାକୁ ଆଉ ୭ ଦିନ ବଢ଼ାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ବହୁ ଚାଷୀ ପଞ୍ଜୀକରଣ କରିପାରିନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି ଲାଗି ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ରହିଥିଲା। ଚଳିତବର୍ଷ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ କମ୍ ଥିବାରୁ ବାକି ଚାଷୀଙ୍କୁ ପଞ୍ଜୀକରଣର ସୁଯୋଗ ଦେବାକୁ ସମୟସୀମା ବଢ଼ାଯାଇଛି।
ଏପଟେ କେତେକ ଅଞ୍ଚଳରେ ଇଣ୍ଟରନେଟ୍ ଓ ନେଟୱାର୍କ ସମସ୍ୟା କାରଣରୁ ଅନଲାଇନ୍ ପଞ୍ଜୀକରଣରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ମିଳିଛି। ଏହି ସମସ୍ୟା ଦୂର କରିବା ଲାଗି ସମ୍ପୃକ୍ତ ବୈଷୟିକ ଟିମ୍ ସହ ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସମୟସୀମା ବୃଦ୍ଧି ହେବା ପରେ ପଞ୍ଜୀକରଣରୁ ବାଦ ପଡ଼ିଥିବା ଚାଷୀମାନେ ନିଜ ନାମ ପଞ୍ଜୀକରଣ କରିବା ପାଇଁ ଅତିରିକ୍ତ ୭ ଦିନ ପାଇବେ। ଏହା ଫଳରେ ଅଧିକ ସଂଖ୍ୟକ ଚାଷୀ ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିବାର ସୁଯୋଗ ପାଇପାରିବେ।



