Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ହାତୀ ଘଉଡ଼ାଇବାକୁ ଯାଇ ଯୁବକଙ୍କ ମୃତ୍ୟୁ

ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ଖିରେଇଟାଙ୍ଗିରୀ ସେକ୍ସନର ଡାବରଚୁଆ ଗ୍ରାମ ଦୁଧିଆଚୁଆ ସାହି ନିକଟରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମ ବଡ଼ପଶି ସାହିର ନବଘନ ନାଏକ(୩୪)।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ପ୍ରାୟ ୨୦ଟି ହାତୀର ଏକ ପଲ ଧାନ ଫସଲ ଭିତରକୁ ପଶି ଯାଇଥିଲେ। ଫସଲ ନଷ୍ଟ ହେବା ଆଶଙ୍କାରେ ନବଘନ ଅନ୍ୟମାନଙ୍କ ସହ ହାତୀପଲକୁ ଘଉଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ହାତୀ ତାଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନବଘନଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ କେନ୍ଦୁଝର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି।

ସ୍ଥାନୀୟ ବନରକ୍ଷୀ ଦେବଯାନୀ ମହାନ୍ତ ଓ ପାରା କର୍ମଚାରୀମାନେ ହାତୀଙ୍କ ନିକଟକୁ ନଯିବା ଏବଂ ସେମାନଙ୍କୁ ଘଉଡ଼ାଇବାରୁ ବିରତ ରହିବାକୁ ଲୋକଙ୍କୁ ସତର୍କ କରିଥିବା ସତ୍ତ୍ୱେ ଏହି ଅଘଟଣ ଘଟିଛି।

ଗତକାଲି ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ପ୍ରବେଶ କରିଥିବା ଏହି ୨୦ଟିକିଆ ହାତୀପଲ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ହାତୀ ଆତଙ୍କ ଆହୁରି ବଢ଼ିଛି। ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନିରନ୍ତର ନଜର ରଖାଯିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Show More

Related Articles

Back to top button