Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ନେପାଳରେ ବନ୍ୟାର ଭୟାବହତା, ମୃତ୍ୟୁସଂଖ୍ୟା ୯୦୩ ଛୁଇଁଲା

କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ତାହା ପରବର୍ତ୍ତୀ ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମା ନିକଟରେ ଭୋଟେକୋଶୀ ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉଭୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣର ସଦ୍ୟତମ ତଥ୍ୟ ଅନୁସାରେ, ବନ୍ୟାରେ ଏପର୍ଯ୍ୟନ୍ତ ୯୦୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୪,୨୪୭ ଜଣ ନିଖୋଜ ଅଛନ୍ତି। ୨୬୭ ଜଣ ଆହତ ହୋଇଛନ୍ତି।

ବିପର୍ଯ୍ୟୟ ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ହଜାର ହଜାର ଲୋକଙ୍କ ପତ୍ତା ମିଳୁନଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ବଢ଼ିଛି।

ନିଖୋଜ ପରିବାର ସଦସ୍ୟଙ୍କୁ ଖୋଜିବା ପାଇଁ ଆତ୍ମୀୟମାନେ ହସ୍ପିଟାଲ, ରିଲିଫ୍‌ କ୍ୟାମ୍ପ ଓ ବିଭିନ୍ନ ସରକାରୀ କେନ୍ଦ୍ରରେ ପହଞ୍ଚୁଛନ୍ତି। ଅନେକ ସ୍ଥାନରେ ନିଖୋଜ ବ୍ୟକ୍ତିଙ୍କ ଫଟୋ ଓ ତଥ୍ୟ ଥିବା ପୋଷ୍ଟର ମଧ୍ୟ ଲଗାଯାଇଛି। ଉଦ୍ଧାରକାରୀ ଦଳ ନିଖୋଜଙ୍କ ସନ୍ଧାନ ସହ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଦୁର୍ଦ୍ଦିନରେ ନେପାଳ ପ୍ରତି ଭାରତ ସମର୍ଥନ ଜଣାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସକୁ ଯାଇ ଶୋକ ପୁସ୍ତିକାରେ ସ୍ୱାକ୍ଷର କରିଛନ୍ତି। ସେ ନେପାଳ ସରକାର ଓ ଦେଶବାସୀଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ରାଜନାଥ କହିଛନ୍ତି, ଏହି ଦୁଃଖଦ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସହ ଭାରତର ସମବେଦନା ରହିଛି। ନେପାଳର ଘନିଷ୍ଠ ବନ୍ଧୁ ଓ ସହଯୋଗୀ ଭାବେ ଏଭଳି କଠିନ ସମୟରେ ଭାରତ ନେପାଳ ସହିତ ଦୃଢ଼ ଭାବେ ଠିଆ ହୋଇଛି। ସନ୍ଧାନ, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବାକୁ ଭାରତ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ତିବ୍ବତରେ ମଧ୍ୟ ବନ୍ୟାର ପ୍ରଭାବ ପଡ଼ିଛି। ଚୀନ୍‌ର ତଥ୍ୟ ଅନୁସାରେ ସେଠାରେ ୧୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୫୦୦ରୁ ଅଧିକ ଲୋକ ନିଖୋଜ ଥିବା ରିପୋର୍ଟ ମିଳିଛି। ଫଳରେ ନେପାଳ ଓ ତିବ୍ବତରେ ଉଦ୍ଧାର ଅଭିଯାନ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

Show More

Related Articles

Back to top button