ରାଜ୍ୟର ସହର ହେବ ଅର୍ଥନୈତିକ ହବ୍ : ମୁଖ୍ୟମନ୍ତ୍ରୀ
ଯୁବପିଢ଼ି ପାଇଁ ସୃଷ୍ଟି ହେବ ନୂଆ ସୁଯୋଗ

ଭୁବନେଶ୍ୱର: ରାଜ୍ୟର ସହରଗୁଡ଼ିକୁ ରୋଜଗାର, ଉଦ୍ୟମିତା, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର ଭାବେ ବିକଶିତ କରାଯିବ। ସହର କେବଳ ରହିବା ସ୍ଥାନ ନୁହେଁ, ଏଠାରୁ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ଓ ନିଯୁକ୍ତି ସୃଷ୍ଟି ହେବା ଆବଶ୍ୟକ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ଥାନୀୟ ସ୍ୱୟଂଶାସନ ଦିବସ-୨୦୨୬ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୨୮ଟି ନବଗଠିତ ଏନ୍ଏସି ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ପ୍ରତ୍ୟେକ ଏନ୍ଏସିକୁ ୨୦ କୋଟି ଟଙ୍କା ଲେଖାଏଁ ମିଳିବ। ଏହି ଅର୍ଥରେ ରାସ୍ତା, ଡ୍ରେନ୍, ବଜାର ସମେତ ବିଭିନ୍ନ ମୌଳିକ ଭିତ୍ତିଭୂମିର ବିକାଶ କରାଯିବ।
ଏହାସହ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ୬୨ଟି ସହରାଞ୍ଚଳରେ ୩୨୩ କୋଟି ଟଙ୍କାର ୫୯୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏଥିରେ ୪୨୩ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୧୭୦ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି।
![]()
ପୌର ସଂସ୍ଥାଗୁଡ଼ିକରେ କାର୍ଯ୍ୟଶୈଳୀ ବଦଳାଇ ପ୍ରଯୁକ୍ତିର ଅଧିକ ବ୍ୟବହାର, ପ୍ରକ୍ରିୟା ସରଳୀକରଣ ଓ ସମୟବଦ୍ଧ ଭାବେ ନାଗରିକ ସେବା ଯୋଗାଇବାକୁ ମାଝୀ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ପୌର ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା। ୧୧୫ଟି ପୌର ସଂସ୍ଥାରେ ଓସ୍ୱାନ୍ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାର ଉଦ୍ଘାଟନ ସହ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ବନ୍ଧୁ’ ଓ ‘ଓଡ଼ିଶା ଯାତ୍ରୀ ଏସ୍.ଓ.ଏସ୍ ଆପ୍’ ଲୋକାର୍ପିତ ହୋଇଥିଲା।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ବର୍ତ୍ତମାନ ସରକାର ୨୮ ନୂଆ ଏନ୍ଏସି ଓ ୭ଟି ପୌରପାଳିକା ଗଠନ କରିଥିବା ବେଳେ ପୁରୀକୁ ମହାନଗର ନିଗମ ମାନ୍ୟତା ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୨୦୩୬ ସୁଦ୍ଧା ୪୦% ଏବଂ ୨୦୪୭ ସୁଦ୍ଧା ୬୦% ସହରୀକରଣ ଲକ୍ଷ୍ୟ ରହିଥିବା କହିଥିଲେ।



