ଟ୍ରାଫିକ ନିୟମ ଭାଙ୍ଗିଲେ ବାତିଲ ହୋଇପାରେ ଲାଇସେନ୍ସ

ଭାରତରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ଗାଡ଼ିର ରେଜିଷ୍ଟ୍ରେଶନ ସାର୍ଟିଫିକେଟ (ଆରସି)କୁ ନେଇ ନୂଆ ନିୟମ ଆସିପାରେ। ଟ୍ରାଫିକ ନିୟମ ଉଲ୍ଲଂଘନକୁ ଆଧାର କରି ଗ୍ରେଡେଡ ପଏଣ୍ଟ ସିଷ୍ଟମ ଲାଗୁ କରିବା ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଚାର କରୁଛି।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ SIAMର ୬୬ତମ ବାର୍ଷିକ ସମ୍ମିଳନୀରେ ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥାରେ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଳକଙ୍କ ଲାଇସେନ୍ସ ରେକର୍ଡରେ ପେନାଲ୍ଟି ପଏଣ୍ଟ ଯୋଡ଼ାଯିବ।
ନିର୍ଦ୍ଦିଷ୍ଟ ସୀମାରେ ପଏଣ୍ଟ ପହଞ୍ଚିଲେ ଲାଇସେନ୍ସ ସସ୍ପେଣ୍ଡ କିମ୍ବା ବାତିଲ ଭଳି କଡ଼ା ପଦକ୍ଷେପ ନିଆଯାଇପାରେ। ଏହା ଦ୍ୱାରା ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ନଜର ରଖିବା ସହଜ ହେବ।
ତେବେ ଏହି ବ୍ୟବସ୍ଥା କେବଳ ଦଣ୍ଡ ଦେବା ପାଇଁ ନୁହେଁ। ଭଲ ଡ୍ରାଇଭିଂ ରେକର୍ଡ ଥିବା ଚାଳକଙ୍କୁ ପୁରସ୍କାର ବା ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ମଧ୍ୟ ରହିପାରେ। ଏପରି ଚାଳକଙ୍କୁ ଇନ୍ସୁରାନ୍ସ କମ୍ପାନୀଗୁଡ଼ିକ ପକ୍ଷରୁ ଇନ୍ସେଣ୍ଟିଭ ମିଳିବାର ସମ୍ଭାବନା ମଧ୍ୟ ରହିଛି।



