ପେନ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ, ବିଳମ୍ବ ହେଲେ ମିଳିବ ୭% ସୁଧ

ଭୁବନେଶ୍ୱର: ଓଡ଼ିଶା ସରକାରୀ କର୍ମଚାରୀଙ୍କ ପେନ୍ସନ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି। ସୋମବାର ରାଜ୍ୟ କ୍ୟାବିନେଟ୍ ୧୯୯୨ର ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନ୍ସନ୍) ନିୟମରେ ସଂଶୋଧନକୁ ଅନୁମୋଦନ କରିଛି। ଏହାଦ୍ୱାରା ରାଜ୍ୟର ପେନ୍ସନ୍ ନିୟମକୁ ୨୦୨୧ର କେନ୍ଦ୍ରୀୟ ସିଭିଲ୍ ସର୍ଭିସ୍ (ପେନ୍ସନ୍) ନିୟମ ସହ ସମନ୍ୱୟ କରାଯାଇଛି।
ସଂଶୋଧିତ ନିୟମ ଅନୁଯାୟୀ, କୌଣସି କର୍ମଚାରୀଙ୍କ ବିରୋଧରେ ଚାକିରି ସମୟରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇ ଅବସର ପରେ ମଧ୍ୟ ଜାରି ରହିଲେ, ସରକାର ତାଙ୍କ ପେନ୍ସନ୍ ଓ ଗ୍ରାଚ୍ୟୁଇଟିକୁ ଅଟକାଇବା କିମ୍ବା ପ୍ରତ୍ୟାହାର କରିବାର ଅଧିକାର ପାଇବେ। ଏଥିସହ ଘଟଣା ଘଟିବାର ୪ ବର୍ଷ ମଧ୍ୟରେ ବିଭାଗୀୟ ତଦନ୍ତ ଆରମ୍ଭ ହେଲେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ।
ଅନ୍ୟପକ୍ଷରେ, ପେନ୍ସନ୍ ମଞ୍ଜୁରିରେ ପ୍ରଶାସନିକ ତ୍ରୁଟି ଯୋଗୁଁ ଏକ ବର୍ଷରୁ ଅଧିକ ବିଳମ୍ବ ହେଲେ କର୍ମଚାରୀଙ୍କୁ ୭ ପ୍ରତିଶତ ବାର୍ଷିକ ହାରରେ ସୁଧ ଦିଆଯିବ। ପେନ୍ସନ୍ ଦେୟ ହେବା ତାରିଖରୁ ପ୍ରଥମ ଏକ ବର୍ଷ ପରେ ହୋଇଥିବା ବିଳମ୍ବ ସମୟ ପାଇଁ ଏହି ସୁଧ ଲାଗୁ ହେବ।
ଉଲ୍ଲେଖଯୋଗ୍ୟ, ୨୦୨୫ ମେ ୧୯ରେ ଅର୍ଥ ବିଭାଗର ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ସିଭିଲ୍ ସର୍ଭିସ୍ (ପେନ୍ସନ୍) ନିୟମ, ୧୯୯୨ରେ କେତେକ ପରିବର୍ତ୍ତନ କରାଯାଇଥିଲା।



