
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଡେଲ୍ଟା ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଘଟଣା ସମୟରେ ନିର୍ମାଣସ୍ଥଳରେ ଏକାଧିକ ଶ୍ରମିକ ଉପସ୍ଥିତ ଥିବାରୁ ସେମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ରବିବାର ରାତିରେ ହଠାତ୍ ନିର୍ମାଣାଧୀନ ଢାଞ୍ଚାର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଘଟଣା ପୂର୍ବରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି, ସେନେଇ ତୁରନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୋଠା ନିର୍ମାଣର ମାନ, ସୁରକ୍ଷା ବ୍ୟବସ୍ଥା କିମ୍ବା ଅନ୍ୟ କୌଣସି କାରଣରୁ ଏହା ଘଟିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଉଲ୍ଲେଖଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସତ୍ୟ ନିକେତନରେ ଏକ କୋଠା ଭୁଶୁଡ଼ି ୭ ଜଣଙ୍କ ଜୀବନ ଯାଇଥିଲା। ଏହା ପରେ ଭୁବନେଶ୍ୱରରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣା ଚିନ୍ତା ବଢ଼ାଇଛି।



