ପଞ୍ଚସଖା ଶିକ୍ଷା ସେତୁ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି
ସ୍କୁଲ ବିକାଶରେ ସରକାରଙ୍କ ସହ ଯୋଡ଼ିହେବେ ନାଗରିକ

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’କୁ ସୋମବାର ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ସରକାର ଓ ନାଗରିକଙ୍କ ମଧ୍ୟରେ ଅଧିକ ସହଯୋଗ ଓ ଭାଗିଦାରିକୁ ପ୍ରୋତ୍ସାହନ ଦିଆଯିବ।
ଯୋଜନା ଅଧୀନରେ ବ୍ୟକ୍ତିବିଶେଷ, ଦାତା ଓ ଅନ୍ୟ ଅଂଶୀଦାରମାନେ ବିଦ୍ୟାଳୟର ବିକାଶ ପାଇଁ ଅର୍ଥ, ଆବଶ୍ୟକ ସାମଗ୍ରୀ କିମ୍ବା ସେବା ପ୍ରଦାନ କରିପାରିବେ। ଏହି ସହାୟତାକୁ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବା, ଶିକ୍ଷାଗତ ସୁବିଧା ବଢ଼ାଇବା ଏବଂ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସଂସ୍କୃତି, ମୂଲ୍ୟବୋଧ ଓ ଐତିହ୍ୟର ସୁରକ୍ଷା ତଥା ପ୍ରଚାରରେ ବ୍ୟବହାର କରାଯିବ।
ଏହି ଯୋଜନାର ପ୍ରମୁଖ ବିଶେଷତ୍ୱ ହେଉଛି ସରକାରଙ୍କ ପକ୍ଷରୁ ମିଳିତ ଅନୁଦାନ। କୌଣସି ଦାତା ଅର୍ଥ ଦାନ କଲେ, ତାହାର ଦୁଇଗୁଣା ଅର୍ଥ ସରକାର ମିଳିତ ଅନୁଦାନ ଭାବେ ପ୍ରଦାନ କରିବେ। ତେବେ ସରକାରୀ ଅନୁଦାନର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁଯାୟୀ, ୫ ବର୍ଷରେ ଏହି ଯୋଜନା ପାଇଁ ସରକାର ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ କରିବେ। ୨୦୨୪ ଡିସେମ୍ବର ୨୦ରୁ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ରହିବ।



