ପିଏଫ୍ ନିୟମରେ ବଡ଼ ବଦଳ: ୨୫ ହଜାର ଟଙ୍କା ଯାଏଁ ଦରମାରେ ଇପିଏଫ୍ଓ କଭରେଜ୍

ନୂଆଦିଲ୍ଲୀ: ଇପିଏଫ୍ଓରେ ବାଧ୍ୟତାମୂଳକ ସାମିଲ ହେବା ପାଇଁ ଦରମା ସୀମା ବଢ଼ାଇଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର କ୍ୟାବିନେଟ୍ ୧୫ ହଜାର ଟଙ୍କାର ମାସିକ ଦରମା ସୀମାକୁ ୨୫ ହଜାର ଟଙ୍କା କରିବାକୁ ଅନୁମୋଦନ ଦେଇଛି। ନୂଆ ବ୍ୟବସ୍ଥା ଲାଗୁ ହେଲେ ୧୫ରୁ ୨୫ ହଜାର ଟଙ୍କା ଦରମା ପାଉଥିବା ପ୍ରାୟ ୫୧ ଲକ୍ଷ କର୍ମଚାରୀ ଇପିଏଫ୍ଓର ଅଧୀନକୁ ଆସିବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, ଶେଷଥର ୨୦୧୪ ସେପ୍ଟେମ୍ବରରେ ଇପିଏଫ୍ଓର ଦରମା ସୀମା ସଂଶୋଧନ ହୋଇଥିଲା। ଦୀର୍ଘଦିନ ଧରି ଦରମା ସୀମା ବୃଦ୍ଧି ନେଇ ଦାବି ରହିଥିଲା।
ସୀମା ବଢ଼ିବା ପରେ ନୂଆ କର୍ମଚାରୀମାନେ ଇପିଏଫ୍ରେ ନିୟମିତ ସଞ୍ଚୟ ସହ ଇପିଏସ୍ ମାଧ୍ୟମରେ ପେନସନ ସୁବିଧା ପାଇବେ। ଏଥିସହ ଇଡିଏଲ୍ଆଇ ଯୋଜନା ଅଧୀନରେ ବୀମା ସୁରକ୍ଷା ମଧ୍ୟ ମିଳିବ। ଏହା ଫଳରେ ଆନୁଷ୍ଠାନିକ କ୍ଷେତ୍ରର ଅଧିକ କର୍ମଚାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ।
କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ, ଏହି ନିଷ୍ପତ୍ତି ପାଇଁ ବାର୍ଷିକ ପ୍ରାୟ ୧୧,୩୩୯ କୋଟି ଟଙ୍କା ଏବଂ ୫ ବର୍ଷରେ ପ୍ରାୟ ୫୬,୬୯୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ବ୍ୟୟ ଅର୍ଥ କମିଟି ୨୦୨୬ ଜୁନ୍ ୧୬ରେ ଏହି ପ୍ରସ୍ତାବକୁ ସୁପାରିଶ କରିଥିଲା।



