ଶୁଭେନ୍ଦୁଙ୍କ ପିଏଙ୍କ ମାଆଙ୍କୁ ନନ୍ଦିଗ୍ରାମରୁ ବିଜେପି ଟିକଟ

କୋଲକାତା: ପଶ୍ଚିମବଙ୍ଗର ଦୁଇ ବିଧାନସଭା ଆସନ ନନ୍ଦିଗ୍ରାମ ଓ ରେଜିନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ନନ୍ଦିଗ୍ରାମରୁ ଦିବଂଗତ ଚନ୍ଦ୍ରନାଥ ରଥଙ୍କ ମାଆ ହସିରାଣୀ ରଥଙ୍କୁ ପ୍ରାର୍ଥୀ କରାଯାଇଛି। ଚନ୍ଦ୍ରନାଥ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଭାବେ ପ୍ରାୟ ୫ ବର୍ଷ କାମ କରିଥିଲେ।
ଗତ ମେ’ ୬ ତାରିଖ ବିଳମ୍ବିତ ରାତିରେ ମଧ୍ୟମଗ୍ରାମ ନିକଟରେ ଚନ୍ଦ୍ରନାଥଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେ ଅବିବାହିତ ଥିଲେ। ତାଙ୍କ ମାଆ ହସିରାଣୀ ପୂର୍ବରୁ ପଞ୍ଚାୟତ ସମିତି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।
ଅନ୍ୟପକ୍ଷରେ, ରେଜିନଗର ଆସନରୁ ଶାଖରାଓ ସରକାରଙ୍କୁ ବିଜେପି ଟିକଟ ଦେଇଛି। ଏହି ଦୁଇ ଆସନର ଉପନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସରେ ମଧ୍ୟ ଆଭ୍ୟନ୍ତରୀଣ ମତଭେଦ ସାମ୍ନାକୁ ଆସିଛି। ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀ ନନ୍ଦିଗ୍ରାମରୁ ମହମ୍ମଦ ଏତେଶାମୁଲ ହକ୍ ଓ ରେଜିନଗରରୁ ସଫିଉଜମାନ ଶେଖଙ୍କୁ ପ୍ରାର୍ଥୀ କରିଛି।
ସେହିପରି ମମତା ବାନାର୍ଜୀଙ୍କ ଗୋଷ୍ଠୀ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ ଓ ରେଜିନଗରରୁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି।



