
ନୂଆଦିଲ୍ଲୀ: ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତ ସରକାରୀ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବା ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ଏଭଳି କୌଣସି ସରକାରୀ ଟ୍ୟାକ୍ସ କିମ୍ବା ଶୁଳ୍କ ବର୍ତ୍ତମାନ ଧାର୍ଯ୍ୟ ହୋଇନଥିବା ବିଜେପି ନେତା ଅମିତ ମାଲବ୍ୟ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ୫,୦୦୦ ଟଙ୍କାର ୟୁପିଆଇ ପେମେଣ୍ଟରେ ୨୫ ଟଙ୍କା ଏବଂ ୧୦,୦୦୦ ଟଙ୍କାରେ ୫୦ ଟଙ୍କା ଚାର୍ଜ ଲାଗିବ ବୋଲି ଯେଉଁ ହିସାବ କରାଯାଉଛି, ତାହା କେବଳ କଳ୍ପିତ ୦.୫ ପ୍ରତିଶତ ହାରକୁ ଆଧାର କରି କରାଯାଇଥିବା ଗଣନା। ଏହା କୌଣସି ସରକାରୀ ଶୁଳ୍କ ନୁହେଁ।
ସେପ୍ଟେମ୍ବର ୧୪, ୨୦୨୬ରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି ଗଜେଟ୍ ବିଜ୍ଞପ୍ତିରେ ରୁପେ ଡେବିଟ୍ କାର୍ଡ ଏବଂ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଭଳି ଇଲେକ୍ଟ୍ରୋନିକ୍ ପେମେଣ୍ଟ ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ପ୍ରୋଭାଇଡରଙ୍କ ଦ୍ୱାରା ସିଧାସଳଖ କିମ୍ବା ପରୋକ୍ଷ ଭାବେ ଶୁଳ୍କ ଲାଗୁ କରିବାକୁ ନେଇ ବ୍ୟବସ୍ଥା ରହିଛି।
ତେବେ ଏହାର ଅର୍ଥ ୨,୦୦୦ ଟଙ୍କାରୁ ଅଧିକ ପ୍ରତ୍ୟେକ ୟୁପିଆଇ ପେମେଣ୍ଟରେ ୦.୫ ପ୍ରତିଶତ ଚାର୍ଜ ଲାଗୁ ହୋଇଯାଇଛି ବୋଲି ନୁହେଁ। ବିଜ୍ଞପ୍ତିରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ୍ ପାଇଁ ୦.୫ ପ୍ରତିଶତ ହାର ଧାର୍ଯ୍ୟ ହୋଇନାହିଁ।
ବର୍ତ୍ତମାନ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ କରୁଥିବା ୟୁପିଆଇ ପେମେଣ୍ଟ ଅର୍ଥାତ୍ ପି୨ପି ଟ୍ରାଞ୍ଜାକ୍ସନ୍ ମାଗଣା ରହିଛି। ତେଣୁ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ୫,୦୦୦ କିମ୍ବା ୧୦,୦୦୦ ଟଙ୍କା ପଠାଇଲେ ୦.୫ ପ୍ରତିଶତ ସରକାରୀ ଟ୍ୟାକ୍ସ କଟିବ ବୋଲି ହେଉଥିବା ଦାବି ସଠିକ୍ ନୁହେଁ।
ଅନ୍ୟପକ୍ଷରେ, ଭବିଷ୍ୟତରେ ୨,୦୦୦ ଟଙ୍କାରୁ ଅଧିକ କେତେକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ରେ ଏମ୍ଡିଆର୍ ବ୍ୟବସ୍ଥା ଲାଗୁ କରିବା ନେଇ ଆଲୋଚନା ହୋଇପାରେ। ତେବେ ଏହାର ହାର, ପରିସର ଓ ଲାଗୁ ହେବାର ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଏମ୍ଡିଆର୍କୁ ସାଧାରଣ ଗ୍ରାହକ ଟ୍ୟାକ୍ସ ଭାବେ ଦେଖାଯାଇପାରିବ ନାହିଁ।
ୟୁପିଆଇ ବ୍ୟବସ୍ଥାକୁ ସୁଲଭ ରଖିବା ପାଇଁ ସରକାର ପୂର୍ବରୁ ଇନ୍ସେଣ୍ଟିଭ୍ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେଇଆସୁଛନ୍ତି। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ ୟୁପିଆଇ ଓ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ପାଇଁ ପ୍ରାୟ ୮,୭୩୦ କୋଟି ଟଙ୍କାର ଇନ୍ସେଣ୍ଟିଭ୍ ଦିଆଯାଇଛି।



