ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ଗୁରୁଗ୍ରାମ: ଗୁରୁଗ୍ରାମର ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ କଲ୍ୟାଣ ବୈଂସଲାଙ୍କୁ ରାଜସ୍ଥାନର ଦୌସାରୁ ପୋଲିସ ଗିରଫ କରିଛି। ଗତ ରବିବାର ସକାଳେ ମହିଳା ବାଇକରଙ୍କୁ କାର୍ରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେବା ପରେ କଲ୍ୟାଣ ଫେରାର ହୋଇଯାଇଥିଲେ।
ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୋଲିସ ତଦନ୍ତ ଜୋରଦାର କରିଥିଲା। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହାପରେ ତାଙ୍କୁ ଧରିବା ପାଇଁ ଏକ ବଡ଼ ଧରଣର ଖୋଜାଖୋଜି ଅଭିଯାନ ଆରମ୍ଭ ହୋଇଥିଲା।
ପୀଡ଼ିତା ସିଆ ଓ ତାଙ୍କ ପରିବାର ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇବା ପରେ ମାମଲାରେ କଠୋର ଦଫା ଯୋଡ଼ାଯାଇଛି। ମୂଳ ଏଫ୍ଆଇଆର୍ରେ ହତ୍ୟା ଉଦ୍ୟମ ଦଫା ସାମିଲ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ସନ୍ଦୀପ ମଲିକଙ୍କ କହିବା ଅନୁଯାୟୀ, ଭାଇରାଲ୍ ଭିଡିଓରୁ କାର୍ଟି ଜାଣିଶୁଣି ବାଇକ୍କୁ ଧକ୍କା ଦେଇଥିବା ଜଣାପଡ଼ୁଛି।
ଅନ୍ୟପକ୍ଷରେ, ଗିରଫ ପୂର୍ବରୁ କଲ୍ୟାଣ ଦାବି କରିଥିଲେ ଯେ ସେ ଜାଣିନଥିଲେ ବାଇକ୍ରେ ଜଣେ ମହିଳା ଥିଲେ। ବାଇକ୍ ଚାଳକ ବାରମ୍ବାର ତାଙ୍କ କାର୍କୁ ଓଭରଟେକ୍ କରୁଥିଲେ ଏବଂ ପରେ ଗାଡ଼ିର ବେଗ କମାଉଥିଲେ ବୋଲି ସେ କହିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇନଥିବା ଦାବି କରି ସେ ଆହତ ମହିଳା ବାଇକରଙ୍କୁ କ୍ଷମା ମଧ୍ୟ ମାଗିଥିଲେ।



