ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ ବ୍ରିଟିଶ ସ୍କୁଲ, ସଂସ୍କୃତି ସ୍କୁଲ ଓ ସର୍ଦ୍ଦାର ପଟେଲ ବିଦ୍ୟାଳୟ ସମେତ ଅନେକ ପ୍ରମୁଖ ସ୍କୁଲକୁ ମଙ୍ଗଳବାର ବୋମାରେ ଉଡ଼ାଇଦେବାକୁ ଧମକ ଦେଇ ଇ-ମେଲ୍ ମିଳିଛି। ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଏତଲା ଭିତ୍ତିକ ତଦନ୍ତ ସହ ସତର୍କତାମୂଳକ ପଦକ୍ଷେପ ଭାବେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସ୍କୁଲ ପରିସରରୁ ବାହାର କରାଯାଇଥିଲା।
ଦିଲ୍ଲୀ ପୁଲିସ ମଧ୍ୟ ଏକାଧିକ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିବା ନିଶ୍ଚିତ କରିଛି। ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ସହ ବୋମା ଚିହ୍ନଟ ଓ ନିଷ୍କ୍ରିୟକରଣ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଦିଲ୍ଲୀ ଅଗ୍ନିଶମ ବିଭାଗର ଟିମ୍ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ପହଞ୍ଚିଥିଲେ। ପରିସର ଖାଲି କରାଯାଇ ଆଣ୍ଟି-ସାବୋଟାଜ୍ ଯାଞ୍ଚ ସହ ବ୍ୟାପକ ତଲାସୀ ଆରମ୍ଭ ହୋଇଥିଲା।
ପ୍ରାଥମିକ ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରୁ ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିଥିବା ସୂଚନା ନାହିଁ। ପୁଲିସ ଏବେ ଧମକପୂର୍ଣ୍ଣ ଇ-ମେଲର ପ୍ରାଯୁକ୍ତିକ ତଥ୍ୟ, ଉତ୍ସ ଓ ପ୍ରେରକଙ୍କ ସମ୍ପର୍କରେ ତଦନ୍ତ କରୁଛି।
ଘଟଣାର ଗୁରୁତ୍ୱ ଏଥିପାଇଁ ଅଧିକ ବଢ଼ିଛି ଯେ, କିଛି ସ୍କୁଲରେ ପରୀକ୍ଷା ଚାଲିଥିଲା। ସର୍ଦ୍ଦାର ପଟେଲ ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ଜଣାଇଥିଲା। ପୁଲିସର ସୁରକ୍ଷା ମୂଲ୍ୟାୟନ ପରେ ପରୀକ୍ଷା ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଦିଲ୍ଲୀର ସ୍କୁଲଗୁଡ଼ିକୁ ଇ-ମେଲ୍ ମାଧ୍ୟମରେ ବୋମା ଧମକ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଏପରି ଧମକ ମିଳିଥିଲା ଏବଂ ତଦନ୍ତ ପରେ ସେଗୁଡ଼ିକ ମିଥ୍ୟା ବୋଲି ଜଣାପଡ଼ିଥିଲା। ତେବେ ମଙ୍ଗଳବାରର ଧମକ ପଛରେ କିଏ ଏବଂ ଏହାର ଉଦ୍ଦେଶ୍ୟ କ’ଣ, ତାହା ଜାଣିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଛନ୍ତି।


