ଲକ୍ଷ୍ନୌରେ ଦେଶର ପ୍ରଥମ ଏଆଇ ସହର, ୫୦ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ଲକ୍ଷ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦେଶର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସହର ବିକଶିତ କରାଯିବ। ଏଥିସହ ସହରରେ ଏକ ସମ୍ପୂର୍ଣ୍ଣ ଏଆଇ ଇକୋସିଷ୍ଟମ୍ ଗଠନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମଙ୍ଗଳବାର ଲକ୍ଷ୍ନୌରେ ଏଚ୍ସିଏଲ୍ ଟେକ୍ର ୧୦ମ ବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି।
ଯୁବ ପେସାଦାର ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଏହି ପଦକ୍ଷେପରେ ସାମିଲ ହେବାକୁ ଆହ୍ବାନ ଦେଇ ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଜମି ଓ ଯୁବ ମାନବ ସମ୍ବଳ। ସୁଯୋଗ ମିଳିଲେ ରାଜ୍ୟର ଯୁବପିଢ଼ି କୌଣସି କ୍ଷେତ୍ରରେ ପଛରେ ରହିବେ ନାହିଁ ବୋଲି ସେ କହିଛନ୍ତି।
ଲକ୍ଷ୍ନୌ ଓ ନୋଏଡାକୁ ଡିପ୍ ଟେକ୍ ହବ୍ ଭାବେ ବିକଶିତ କରିବା ସହ ଲକ୍ଷ୍ନୌରେ ଅତିକମ୍ରେ ୫୦ଟି ବିଶ୍ୱସ୍ତରୀୟ ଏଆଇ ଷ୍ଟାର୍ଟଅପ୍ ଗଢ଼ିବା ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବ ବୋଲି ଯୋଗୀ କହିଛନ୍ତି। ଏହାବ୍ୟତୀତ କାନପୁର, ପ୍ରୟାଗରାଜ, ମେରଠ ଓ ଆଗ୍ରାରେ ଆଇଟି ପାର୍କ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି।



